ଦରବୃଦ୍ଧିର ପ୍ରଭାବ ଓ ଆମ ଜନପ୍ରତିନିଧି
ଯେଉଁ ଦେଶରେ ୮୦ ପ୍ରତିଶତ ଲୋକ ଗରିବ ସେ ଦେଶର ନିର୍ବାଚିତ ଜନପ୍ରତିନିଧି (ସାଂସଦ ଓ ବିଧାୟକ) ମାନଙ୍କ ପାଇଁ ରାଜକୋଷରୁ କେତେ ଖର୍ଚ୍ଚ ହୁଏ ସେ କଥା ଜାଣିଲେ ମୁଣ୍ଡରେ ହାତ ଦେବାକୁ ପଡିବ ନିଶ୍ଚୟ । ଦେଶର ୮୦ କୋଟି ଲୋକ ମାସିକ ୫ କେଜି ରାସନରେ ଜୀବନ ବିତାଉଛନ୍ତି । ଏହା ପୁଣି ମାଗଣା କାରଣ ସେମାନେ ଆର୍ôଥକ ସ୍ତରରେ ଦୁର୍ବଳ । କିନ୍ତୁ ସଂସଦ ଓ ବିଧାନସଭାକୁ ନିର୍ବାଚିତ ହେଉଥିବା ଜନପ୍ରତିନିଧି ମାନଙ୍କ ପାଇଁ ଯେଉଁ ଖର୍ଚ୍ଚ ରାଜକୋଷରୁ ହୁଏ ସେ ବାବଦରେ ବିରୋଧ କରିବାକୁ କେହି ନାହିଁ । ଦେଶର ପ୍ରତି ବ୍ୟକ୍ତିର ଆୟ ଏବଂ ସାଂସଦ ଓ ବିଧାୟକଙ୍କ ପ୍ରତି ବ୍ୟକ୍ତି ଆୟ ମଧ୍ୟରେ ଯେଉଁ ଅନ୍ତର ରହିଛି ତାହା ସମ୍ବିଧାନରେ ନିହିତ ସମାନତା କଥାର ବ୍ୟତିକ୍ରମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏକ ଜାତୀୟ ସ୍ତରର ସମାଚାର ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାରଙ୍କ ବଜେଟରେ ସମୁଦାୟ ୭୮୮ ସାଂସଦ (୫୪୩ ଲୋକସଭା ସାଂସଦ ଓ ୨୪୩ ରାଜ୍ୟସଭା)ଙ୍କ ପାଇଁ ୧୧ ହଜାର ୩୧୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସୂଚନା ଅନୁସାରେ ସଂସଦର ପ୍ରତିମିନିଟ ଖର୍ଚ୍ଚ ପାଖାପାଖି ଅଢେଇ ଲକ୍ଷ ଖର୍ଚ୍ଚ ହୁଏ । ସଂସଦ ପାଇଁ ହେଉଥିବା ଖର୍ଚ୍ଚ ଓ ରାଜ୍ୟ ମାନଙ୍କର ବିଧାନ ସଭା ତଥା ବିଧାୟକ ମାନଙ୍କ ପାଇଁ ହେଉଥିବା ଖର୍ଚ୍ଚ ଯୋଡିଦେଲେ ଏହା ଅରବ ଟଙ୍କାରୁ ଅଧିକ ହେବ । ଯେଉଁ ଦେଶର ଅଧିକ ସଂଖ୍ୟକ ଲୋକ ଦୁଇବେଳା ପେଟପୁରା ଖାଇବା ପାଇଁ ପାଉନାହାଁନ୍ତି ଏବଂ ଗୁଜୁରାଣ ମେଣ୍ଟାଇବା ପାଇଁ କେତେ ଯେ କ’ଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଇ ଲୋକଙ୍କ ପ୍ରତିନିଧିତ୍ୱ କରୁଥିବା ଜନ ପ୍ରତିନିଧିଙ୍କ ପାଇଁ ଏତେ ଖର୍ଚ୍ଚ କରାଯିବା କଥା କାହାରି ନଜରଙ୍କ ଆସୁନାହିଁ । ଜନ ପ୍ରତିନିଧି ମାନେ ନିଜକୁ ଜନତାଙ୍କ ସେବଙ୍କ ବୋଲି କହୁଛନ୍ତି ହେଲେ କେତେ ସେବା କରୁଛନ୍ତି ସେକଥା ଲୋକେ ଜାଣନ୍ତି ଓ ସେମାନେ ନିଜେ ମଧ୍ୟ ଜାଣନ୍ତି । ଏବେ ଜନପ୍ରତିଧି ମାନଙ୍କ ପାଇଁ ହେଉଥିବା ଖର୍ଚ୍ଚ ଆହୁରି ଅଧିକ ବଢ଼ିବ । କାରଣ ସାଂସଦରେ ସାଂସଦଙ୍କ ବେଳେ, ଭତ୍ତା ଓ ଅନ୍ୟ ସୁବିଧା ଏବେ ସରକାରବୃଦ୍ଧି କରିଛନ୍ତି ଏକଦା ଜନ ପ୍ରତିନିଧି ମାନେ ଦେଶ, ଜାତି ଓ ଗରିବଙ୍କ ସେବା ପାଇଁ ରାଜନୀତିକୁ ଆସୁଥିଲେ । କିନ୍ତୁ ଏବେ ରାଜନୀତି ଏକ ପେସାରେ ପରିଣତ ହୋଇ ଯାଇଛି ଓ କର୍ପୋରେଟ ଜଗତର ମୁଖ୍ୟ ମାନଙ୍କ ଭଳି ସବୁ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି । ଏମାନେ କ’ଣ ସୁବିଧା ସୁଯୋଗ ପାଇବେ ସେକଥା ଜନ ସାଧାରଣ ନିର୍ଣ୍ଣୟ କରନ୍ତି ନାହିଁ, ସେମାନେ ହିଁ ନିର୍ଣ୍ଣୟ କରିଥାନ୍ତି । ସେମାନେ ସେମାନଙ୍କ ବେତନ, ଭତ୍ତା, ପେନସନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ବାବଦରେ ସାଂସଦରେ ବା ବିଧାନସଭାରେ ନିର୍ଦ୍ଧାରଣ କରିଥାନ୍ତି । ସରକାରୀ କର୍ମ·ରୀମାନଙ୍କ ପାଇଁ ସରକାର ବେତନ ଆୟୋଗ ଗଠନ କରିଥାନ୍ତି ଓ କମିଶନ ସମୀକ୍ଷା କରି କ’ଣ କରାଯିବା ଉଚିତ୍ ସେ ବାବଦରେ ସୁପାରିଶ କରିଥାନ୍ତି କିନ୍ତୁ ସାଂସଦ ଓ ବିଧାୟକ ମାନଙ୍କୁ ମିଳୁଥିବା ବେତନ ଭତ୍ତା ଓ ସୁବିଧା ସୁଯୋଗ ବାବଦରେ କେବେ ସମୀକ୍ଷା ହୁଏନାହିଁ । ବ୍ରିଟେନ ଓ ଅଷ୍ଟ୍ରେଲିଆ ଭଳି କେତେକ ଦେଶରେ ଜନପ୍ରତିନିଧିଙ୍କ ବେତନ ଓ ଭତ୍ତା ପ୍ରସଙ୍ଗରେ ସ୍ଥିର କରାଯିବା ପାଇଁ ସ୍ୱତନ୍ତ୍ର ପ୍ରାଧିକରଣ ରହିଛି କିନ୍ତୁ ଭାରତରେ ଏଭଳି ଅବସ୍ଥା ନାହିଁ । ଦେଶର ଅନେକ ଲୋକଙ୍କୁ ଜଣା ନାହିଁ ଯେ ସାଂସଦ ମାନେ କ’ଣ ସବୁ ସୁବିଧା ପାଉଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଅଧିସୂଚନା ଅନୁସାରେ ଏବେ ସାଂସଦ ମାନଙ୍କ ବେତନ ମାସିକ ଏକ ଲକ୍ଷ ଟଙ୍କାରୁ ଏକଲକ୍ଷ ୨୪ ହଜାର ବୃଦ୍ଧି କରାଯାଇଥିବା ବେଳେ ଦୈନିକ ଭତ୍ତା ୨ ହଜାର ଟଙ୍କାରୁ ୨୫୦୦ ଟଙ୍କା କରାଯାଇଛି । ଏଥି ସହିତ ପୁର୍ବତନ ସାଂସଦ ମାନଙ୍କର ମାସିକ ପେନସନ ୨୫ ହଜାରରୁ ୩୧ ହଜାର କରାଯାଇଛି । ଏବେ ସରକାରଙ୍କ ନିଷ୍ପତ୍ତି କ୍ରମେ ଯେଉଁ ବୃଦ୍ଧି କରାଯାଇଛି ତଦନୁସାରେ ପ୍ରତି ସାଂସଦଙ୍କ ପାଇଁ ପ୍ରତିବର୍ଷ ପାଖାପାଖି ୪୨ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହେବ । ଦରଦାମ ବୃଦ୍ଧି କାରଣରୁ ସାଂସଦ ମାନଙ୍କ ବେତନ ଓ ଭତ୍ତା ବୃଦ୍ଧି କରାଯାଇଥିବା କୁହାଯାଉଛି । ଏହା ସରକାରୀ ତଥ୍ୟ ସାଂସଦ ଏବଂ ସାଧାରଣ ଲୋକଙ୍କ ଆୟ ମଧ୍ୟରେ ଅସମାନତାକୁ ଦର୍ଶାଉଛି ଓ ଜନପ୍ରତିନିଧି ମାନଙ୍କ ବେତନ, ଭତ୍ତା ବୃଦ୍ଧିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଦରଦାମ ବୃଦ୍ଧି କାରଣରୁ ଜନ ପ୍ରତିନିଧିଙ୍କ ବେତନ ଓ ଭତ୍ତା ବୃଦ୍ଧିକୁ ହୁଏତ ଠିକ୍ ବୋଲି କୁହାଯାଇପାରେ କିନ୍ତୁ ସାଧାରଣ ଲୋକଙ୍କ ଆୟ ଏହି ଅନୁପାତରେ ବୃଦ୍ଧି ହୋଇ ପାରିବ କି?
ଉପଭୋକ୍ତା ସୂଚକାଙ୍କ ଅନୁସାରେ ସ୍ପଷ୍ଟ ଯେ ବିଗତ ୧୦ ବର୍ଷ ହେବ ଲୋକଙ୍କ ଆୟବୃଦ୍ଧି ହୋଇନାହିଁ । ଏଣୁ ଜନ ପ୍ରତିନିଧିଙ୍କ ବେତନ ବୃଦ୍ଧିକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । କାରଣ ହେଉଛି ସାଧାରଣ ବେତନ ଭୋଗୀ କର୍ମଚାରୀଙ୍କ ଭଳି ଜନ ପ୍ରତିନିଧି ମାନେ ସେମାନଙ୍କୁ ମିଳୁଥିବା ବେତନରେ ଖର୍ଚ୍ଚ ତୁଲାଇନଥାନ୍ତି । ସାଂସଦ ମାନଙ୍କୁ ବେତନ ଓ ଭତ୍ତା ବାଦ୍ ନିଜ ବ୍ୟକ୍ତିଗତ କାର୍ଯ୍ୟାଳୟରେ କର୍ମ·ରୀ ରଖିବା ପାଇଁ ୨୦୧୮ ର ନିଷ୍ପତ୍ତି ଅନୁସାରେ ମାସିକ ୬୦ ହଜାର ଟଙ୍କା ମିଳିଥାଏ ଓ ଅଫିସ ଚଳାଇବା ପାଇଁ (ଚା, ପାଣି, ବିଦ୍ୟୁତ) ୭୦ ହଜାର ଟଙ୍କା ମାସିକ ମିଳିଥାଏ । ଦିଲ୍ଲୀରେ ସାଂସଦ ମାନଙ୍କୁ ମାଗଣା ଘର ମିଳିଥାଏ । ସାଂସଦ ଓ ସେମାନଙ୍କ ପରିବାର ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା, ବାର୍ଷିକ ମାଗଣା ୩୪ ଥର ବିମାନଯାତ୍ରା ଏବଂ ମାଗଣା ରେଳ ଯାତ୍ରାର ସୁବିଧା ମିଳିଥାଏ । ପ୍ରତି ସାଂସଦଙ୍କୁ ବାର୍ଷିକ ଦେଢ଼ଲକ୍ଷ ମାଗଣା ଟେଲିଫୋନ କଲ ଓ ଇଣ୍ଟରନେଟ ସୁବିଧା ମିଳିଥାଏ । ବାର୍ଷିକ ୫୦ ହଜାର ୟୁନିଟ ବିଦ୍ୟୁତ୍ ମାଗଣାରେ ମିଳିବା ସହ ମାଗଣା ପାଣି ମଧ୍ୟ ମିଳିଥାଏ । ବିଧାୟକ ମାନଙ୍କୁ ମଧ୍ୟ ଏମିତି ସୁବିଧା ମିଳିଥାଏ । ଦୀର୍ଘ ଦିନ ହେବ ଦେଶର ଅନେକ ବୁଦ୍ଧିଜୀବୀ ପ୍ରଶ୍ନ କରୁଛନ୍ତି ଯେ ନିଜର ବେତନ, ଭତ୍ତା ବୃଦ୍ଧିର ଅଧିକାର ଜନପ୍ରତିନିଧି ପାଖରେ ରହିବା ଠିକ୍ କି? ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଉନାହିଁ କାହିଁକି? ପୂର୍ବତନ ସାଂସଦ ଓ ବିଧାୟକଙ୍କ ପେନସନକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ଯେ ନିଜର ଶିକ୍ଷାଗତ ଯୋଗ୍ୟତା, ବଭିନ୍ନ ଲିଖିତ ପରୀକ୍ଷା,ମୌଖିକ ପରୀକ୍ଷା, ସମୂହ ଆଲୋଚନା ଇତ୍ୟାଦିରେ ନିଜର ପାରଦର୍ଶିତା ଦେଖାଇଲେ ଜଣେ ସରକାରୀ ·କିରି ଖଣ୍ଡେ ପାଏ ଓ ସେହି ସାଧାରଣ କର୍ମଚାରୀ ଦୀର୍ଘ ଦିନର ସେବା ପରେ ମଧ୍ୟ ପେନସନ ପାଇବା ପାଇଁ ହକଦାର ହେଉନଥିବା ବେଳେ ଜନପ୍ରତିନିଧିଙ୍କୁ ଜୀବନ ବ୍ୟାପୀ ପେନସନ ମିଳୁଛି କାହିଁକି? କେତେକ ସ୍ଥଳେ ଅର୍ଥଦେଇ କିମ୍ବା ନିର୍ବାଚନୀ ପ୍ରତିଶ୍ରୁତି ନାମରେ ପରୋକ୍ଷରେ ଲାଞ୍ଚ ଯାଚି ଭୋଟରମାନଙ୍କ ଭୋଟ ହାତଉଥିବା ସେହି ଜନପ୍ରତିନିଧିଙ୍କ ମଧ୍ୟରୁ କେତେକଙ୍କ ନାମରେ ମାମଲାମାନ ମଧ୍ୟ ରହିଥାଏ । କିନ୍ତୁ ସେହି ରାଜନେତାମାନେ ଦେଶ ଓ ସମାଜର ସେବା ପାଇଁ ନିର୍ବାଚନରେ ଭାଗ ନେଇଥାନ୍ତି ବୋଲି କହିଥାନ୍ତି ।
ଏହି ସାମ୍ବାଧାନିକ ସଂସ୍ଥା ପାଇଁ ଯେତିକି ଖର୍ଚ୍ଚ ହେଉଛି ବା ଅନ୍ୟ ଅର୍ଥରେ ସାଂସଦ ବିଧାୟକ ମାନଙ୍କ ପାଇଁ ଯାହା ଖର୍ଚ୍ଚ ହେଉଛି ଓ ସେମାନେ ଯେତିକି ସୁବିଧା ସୁଯୋଗ ପାଉଛନ୍ତି ତାର ଅନୁରୂପ କ’ଣ କାର୍ଯ୍ୟ କରୁଛନ୍ତି? ବରଂ ଅନେକ ସମୟରେ ଅଭିଯୋଗ ହେଉଛି ଅଧିକାଂଶ ଜନ ପ୍ରତିନିଧି ନିଜର ସ୍ୱାର୍ଥ ପାଇଁ ବ୍ୟସ୍ତ ରହୁଛନ୍ତି । ସଂସଦ ଓ ବିଧାନସଭାର ବଡ ବଡ କଥା କହିବା, ଜଣେ ଅନ୍ୟ ଜଣକୁ ନୀଚା ଦେଖାଇବାର ପ୍ରୟାସ, ଆଲୋଚନା ପରିବର୍ତ୍ତେ ଝଗଡ଼ା କରିବା କାରଣରୁ ସଦନର ସମୟ ବରବାଦ ହେଉଛି । ସମ୍ବିଧାନ ନିର୍ମାତା କେବେ ଭାବିନଥିବେ ଯେ ନିଜକୁ ଲୋକଙ୍କ ସେବକ କହୁଥିବା ଲୋକେ ସୀମାହୀନ ସୁବିଧା ସୁଯୋଗ ପାଇଁ ଏମିତି ଲାଳାୟିତ ହୋଇ ଉଠିବେ । ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରାଯାଉଛି ଏବଂ ସାମନ୍ତି ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ବାଃରେ ଦେଶ । ଏ ଦେଶର ସେବକ ମାନଙ୍କୁ କେବଳ ଦରଦାମ ବୃଦ୍ଧି ବାଧୁଛି, ଜନସାଧାରଣଙ୍କୁ ନୁହେଁ!!!
ରାମଚନ୍ଦ୍ରପୁର, ରଣପୁର
ମୋ :୯୪୩୮୪୮୫୦୯୪