ସଫଳତା ଭିତରେ ଅଭାବ ଜଳଜଳ: ଯାଜପୁର କଂଗ୍ରେସରେ ଯୁବ ନେତୃତ୍ୱ ସଂକଟ

ା ଯାଜପୁରରୁ ଶରତ ପଥାଳ ।ା 

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଗିରି ଦେହରେ ନିଆଁ ଲଗାଇ ଆତ୍ମାହୁତି ଘଟଣାକୁ ନେଇ ରାଜନୈତିକ ତୁମ୍ଭିତୋଫାନ ଚାଲିଛି । ବିଜେଡିର ଲୋକସେବା ଭବନ ଘେରାଉ ଓ ବାଲେଶ୍ୱର ବନ୍ଦ ଡାକରା ପରେ ପରେ ଗଲା ୧୭ତାରିଖ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିଲା । ସ୍ୱତଃପ୍ରବୃତ ହେଉ କି ନହେଉ କାଁ ଭାଁ ଛାଡ଼ିଦେଲେ ଗାଁରୁ ସହର ସବୁଠି ଓଡ଼ିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଦଳର ବରିଷ୍ଟ ନେତା ଭକ୍ତ ଚରଣ ଦାସ ପିସିସି ସଭାପତି ଦାୟିତ୍ୱ ଗ୍ରହଣକରିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦଳକୁ ତୃଣମୂଳ ସ୍ତରରୁ ସଂଜୀବନୀ ଦେବାକୁ ଉଦ୍ୟମ କରିଛନ୍ତି । ପିସିସି ଡ଼କାରାରେ ବ୍ଲକରୁ ଜିଲା ପର୍ଯ୍ୟନ୍ତ କାର୍ଯ୍ୟକର୍ତା କାର୍ଯ୍ୟକ୍ରମ ମାନ ଆୟୋଜନ କରି ଦଳର ସ୍ଥିତିକୁ ଜାହିର କରିବାକୁ ଉଦ୍ୟମ କରୁଛନ୍ତି । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ ଉପଯୁକ୍ତ ନ୍ୟାୟ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଏକ ସଫଳ ଆନେ୍ଦାଳନ ଥିଲା ବୋଲି କୁହାଯାଇପାରିବ । କିନ୍ତୁ ସଫଳତା ଭିତରେ ଯୁବ ନେତୃତ୍ୱର ସଂକଟ ଭଳି ବଡ଼ ଅଭାବର ପରିଲକ୍ଷିତ ହୋଇଥିଲା । ରାଜ୍ୟର କୋଉ ଜିଲାର କଥା ଆମେ କହୁନୁ । ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇ ଆସୁଥିବା ଉପକୁଳ ଅଞ୍ଚଳର ଯାଜପୁର ଜିଲାର କଥା କହୁଛୁ । ୧୭ତାରିଖ ଓଡ଼ିଶା ବନ୍ଦ ଡ଼ାକରାରେ ଯାଜପୁର ଜିଲାରେ ଦୋକାନ ବଜାର ବନ୍ଦ ଠାରୁ ଆରମ୍ଭ କରି ଗାଡ଼ି ମୋଟର ଚଳାଚଳ ଠପ୍ ହୋଇଯାଇଥିଲା । କଂଗ୍ରେସ ନେତୃତ୍ୱ ଛକ ବଜାରରେ ପଇଁତରା ମାରି ବନ୍ଦ ପାଳନକୁ ସଫଳତା କରିବାରେ ସହାୟକ ହୋଇଥିଲେ ଏହାକୁ ଅସ୍ୱିକାର କରାଯାଇପାରିନି । କିନ୍ତୁ ଯାଜପୁର ଜିଲାର ୭ଗୋଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କରିଥିବା ବନ୍ଦ ପାଳନରେ ଯୁବ ନେତୃତ୍ୱଙ୍କ ସଂଖ୍ୟା ଅତି ନଗନ୍ୟ ଥିବା ବେଳେ ଦଳର ତଥାକଥିତ ନେତା ମାନଙ୍କୁ ହିଁ ଦେଖିବାକୁ ମିଳିଥିଲା । ଉକ୍ତ ଦିନ ବିଭିନ୍ନ ପ୍ରାନ୍ତରୁ ଆମକୁ ମିଳିଥିବା ଫଟୋ ହିଁ ତାହାର ବଡ଼ ପ୍ରମାଣ । ଯଦି କହିବା ତେବେ କୌଣସି ବି ଦଳ ଯୁବ ନେତୃତ୍ୱଙ୍କ ବିନା ଆଗକୁ ବଢିପାରିବନି ଏକଥାକୁ କୈାଣସିବି ରାଜନୈତିକ ଦଳ ଅସ୍ୱିକାର କରିପାରିବନି । ଇତିହାସ ମଧ୍ୟ ସାକ୍ଷୀ ଅଛି ଯେତେ ବେଳେ କୌଣସି ଦେଶ ବା ରାଜ୍ୟର ଶାସନ ବ୍ୟବସ୍ଥାରେ ପରିବର୍ତନ ଘଟିଛି ସେଥିରେ ଯୁବକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ପରିବର୍ତନର ବାହକ ସାଜିଛନ୍ତି । କୌଣସି ବି ଦଳର ଛାମୁଁଆ ସଂଗଠନ ମାନଙ୍କ ମଧ୍ୟରେ ଯୁବ ସଂଗଠନର ବେଶ ଗୁରୁତ୍ୱପୁର୍ଣ୍ଣ ଭୂମିକା ଲିଭାଇ ଥାଏ । କିନ୍ତୁ କଂଗ୍ରେସରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଲା । ଗୋଟିଏ, ଦୁଇଟି ସ୍ଥାନକୁ ଛାଡି ଦେଲେ ସାରା ଜିଲାରେ ଦେଖିବାକୁ ମିଳିଲା ତଥାକଥିତ ହାତଗଣତି ପୁରୁଣା କଂଗ୍ରେସ ନେତା । ଯେଉଁ ଠି ଆନେ୍ଦାଳନ ହେଉ କି ବିକ୍ଷୋଭ ବା ସରକାରୀ ବିରୋଧୀ ବାତାବରଣ ସୃଷ୍ଟି କରିବାରେ ଯୁବ ନେତୃତ୍ୱ ହିଁ ଆଗରେ ରହିଥାନ୍ତି । ହେଲେ ଓଡ଼ିଶା ବନ୍ଦରେ ଯୁବ କି ଛାତ୍ର କଂଗ୍ରେସ ସାମିଲ ଥିଲା ପରି ଲାଗୁନଥିଲା । ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ଯୁବ କଂଗ୍ରେସର କେବଳ କାର୍ଯ୍ୟକର୍ତାଙ୍କୁ ଯଦି ମିଶାଯାଏ ତେବେ ଶତାଧିକ ସଂଖ୍ୟା ହେବ । ମାତ୍ର ସେତିକି ମଧ୍ୟ ଦେଖିବାକୁ ନ ମିଳିବା ଦଳ ପ୍ରତି ଯୁବ ଗୋଷ୍ଠି ଆକୃଷ୍ଟ ହେଉ ନାହାନ୍ତି ନାଁ ଦଳ ସେମାନଙ୍କୁ ଲୋଡ଼ୁନି, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଂଗ୍ରେସର ଯୁବରାଜ ବୋଲି କୁହାଯାଉଥିବା ତଥା ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୁବକ ମାନଙ୍କୁ ଆଗକୁ ଆଣିବାକୁ ବାରମ୍ବାର ଆହ୍ୱାନ ଦେଉଥିବା ବେଳେ ଓଡ଼ିଶା ବନ୍ଦ କଂଗ୍ରେସ ସହ ଯୁବ ଗୋଷ୍ଟି ନଥିବା ଜଣାଇ ଦେଇଥିଲା । କିଛି ବର୍ଷ ପୂର୍ବେ ରାହୁଲ ଗାନ୍ଧୀ "ଟ୍ୟାଲେଣ୍ଟ ହଣ୍ଟ’ ନାମକ କାର୍ଯ୍ୟକ୍ରମ କରି ଅନେକ ଯୁବନେତାଙ୍କୁ ଆଗକୁ ଆଣିଥିଲେ ଓ ଯୁବ କଂଗ୍ରେସର ବିଭିନ୍ନ ପଦ ପଦବୀ ପାଇଁ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ କରି ଦଳରେ ଅଭ୍ୟନ୍ତରିଣ ନିର୍ବାଚନ କରାଉଥିଲେ ଓ ଯୁବ କଂଗେସର କାର୍ଯ୍ୟକର୍ତା ହେବା ପାଇଁ ସର୍ବୋଚ୍ଚ ବୟସ ସୀମା ୩୫ ବର୍ଷ ରଖିଥିଲେ । କଂଗ୍ରେସର ପୁରୁଣା ତଥାକଥିତ ନେତା ଯୁବକମାନଙ୍କୁ ଆଗକୁ ବାଟ ଛାଡୁ ନାହାନ୍ତି ନା ଯୁବକମାନଙ୍କ କଂଗ୍ରେସ ପ୍ରତି ଆଗ୍ରହ ବା ଆକୃଷ୍ଠ ହେଉ ନାହାନ୍ତି ତାହା ପ୍ରଶ୍ନବାଚୀ ହୋଇଛି । ଏକଥା ସତ ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସର ମଙ୍ଗ ଧରିବା ପରେ ସେ ଶାସକ ଦଳକୁ ଶାଣିତ ଓ ଯୋଜନାବଦ୍ଧ ଆକ୍ରମଣ କରୁଛନ୍ତି ଓ ମୁଖ୍ୟ ବିରୋଧି ଦଳର ଭୂମିକା ନିର୍ବାହ କରିବାର ପ୍ରୟାସରେ ଅଛନ୍ତି । କିନ୍ତୁ କଥା ଉଠେ ଦୀର୍ଘ ଦିନ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଆଜି ରାଜ୍ୟରେ ୨ନମ୍ବର ଅର୍ଥାତ ବିରୋଧି ଦଳରେ ଥିବା ବେଳେ ଭକ୍ତଙ୍କ ଆଗମନ ପରେ କଂଗ୍ରେସ ୩ ନମ୍ବର ଦଳରୁ ୨ନମ୍ବର ହେବାକୁ ପ୍ରୟାସ କରୁଛି । କିନ୍ତୁ ଏହା କଣ ବିନା ଯୁବ ବାହିନୀ ବା ଯୁବ ସଂଗଠନରେ ସମ୍ଭବପର କି? । କୌଣସି ଦଳର ବା ସଂଗଠନର ସାଙ୍ଗଠନିକ ରଚନାତ୍ମକ କଥା ହେଉ ବା କୌଣସି ବିକ୍ଷୋଭ, ଆନେ୍ଦାଳନ ବା ସମାବେଶ ହେଉ, ଯୁବ. ସଂଗଠନ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସଫଳ ହେବାର ବ୍ଲୁ-ପ୍ରିଣ୍ଟ ତିଆରି କରେ । କଥାରେ ଅଛି ‘ପାର୍ଟିର ପତାକା ଝଣ୍ଡା, ହେଲେ ଯୁବ ସଂଗଠନ ହେଉଛି ଧଣ୍ଡା’ ଅର୍ଥାତ ବାଡ଼ି । ଯୁବ ସଂଗଠନର ଆଗ୍ରହ, ଉତ୍ସାହ, କାମ କରିବାର ଇଛା ଶକ୍ତି ଓ ପରିଶ୍ରମ ହିଁ ଦଳକୁ ଆଗକୁ ନେବା ସହ ଯଶସ୍ୱୀ, ସର୍ବସ୍ପର୍ଶୀ ଓ ସର୍ବବ୍ୟାପି କରାଏ । ହେଲେ ଯାଜପୁରରେ ଯୁବ ସଂଗଠନ ସୁପ୍ତ ଥିଲା ପରି ଲାଗୁଛି । କିନ୍ତୁ ସେହି ତୁଳନାରେ ବିଜେପି କୁହନ୍ତୁ କି ବିଜେଡିରେ ଯୁବ ନେତୃତ୍ୱ ଆଗରେ ରହିଛି । ସେଥିପାଇଁ ସାମାଜିକ ଗଣମାଧ୍ୟମରେ କଂଗ୍ରେସ ପଛରେ ରହିଛି । ଯେଉଁ ଗୁରୁଦାୟିତ୍ୱଟି ଆଜିର ଯୁଗରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଛି । ଯାହା ସମାଜର ଯୁବବର୍ଗଙ୍କୁ ପ୍ରଭାବିତ କରେ । କିନ୍ତୁ କଂଗ୍ରେସର ଯୁବକ ମାନେ ଆଗକୁ ନ ଆସିବା ଫଳରେ ସେ ବିଭାଗ ମଧ୍ୟ ଦୁର୍ବଳ ପରି ମନେ ହୁଏ । ସରକାରଙ୍କ ବିଫଳତା ହେଉ କି ନିଜ ଦଳର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଚାର ଓ ପ୍ରସାର ଯୁବ କାର୍ଯ୍ୟକର୍ତାମାନେ ହିଁ ସମାଜିକ ଗଣମାଧ୍ୟମରେ କରନ୍ତି କିନ୍ତୁ କଂଗ୍ରେସରେ ଏହା ବ୍ୟତିକ୍ରମ ଦେଖାଯାଏ । ଏଣୁ କଥାଉଠୁଛି କଂଗ୍ରେସକୁ ଯୁବକ ମାନେ ବିଶ୍ୱାସକୁ ନେଉନାହାନ୍ତି ନା କଂଗ୍ରେସ ଦଳ ଯୁବକ ମାନଙ୍କୁ ଆଦରି ପାରୁନାହାଁନ୍ତି? ।