ଟେବୁଲ ଟପ୍ ଏକ୍ସରସାଇଜ ଅନୁଷ୍ଠିତ

 ଯାଜପୁର ଟାଉନ: ଯାଜପୁର ଜିଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ଟେବୁଲ ଟପ୍ମକ୍ ଏକ୍ସରସାଇଜ ଆୟୋଜିତ ହୋଇଯାଇଛି । ଶିଳ୍ପ ସମ୍ବନ୍ଧୀୟ ରାସାୟନିକ ବିପର୍ଯ୍ୟୟଗୁଡ଼ିକୁ ମୁକାବିଲା କରିବା ପାଇଁ ଆସନ୍ତା ୨୮ତାରିଖରେ ଜିଲାର ନୀଳାଚଳ ଇସ୍ପାତ ନିଗମରେ ମକ୍ ଏକ୍ସରସାଇଜ କରିବା ପାଇଁ ଆଜିର କାର୍ଯ୍ୟକ୍ରମରେ ଆଲୋଚନା କରାଯାଇ ପଦକ୍ଷେପକୁ ସୂଚାରୁ ସଂପାଦନ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହ ଲାଇଟ ଡିଜେଲ ଅଏଲ ଲିକେଜ ହେଲେ କିଭଳି ଭାବରେ ପ୍ରତିଷେଧତ୍ମାକ ବ୍ୟବସ୍ଥା ଗ୍ରହଣ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଉପଜିଲାପାଳ ଲମ୍ବୋଦର ଖୁଂଟିଆ, ଜିଲା ଜରୁରୀ କାଳୀନ ଅଧିକାରୀ ଅଶୋକ କୁମାର ବେହେରା, ଅଗ୍ନିଶମ ସେବା ଅଧିକାରୀ, ତହସିଲଦାର ଦାନଗଦୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଓଡ୍ରାଫଙ୍କ ସମେତ ଜିଲାର ବିଭିନ୍ନ ବରିଷ୍ଠ ଅଧିକାରୀ ତଥା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼, ଟାଟାଷ୍ଟିଲ, ଭିସାଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼, ବିଆରପି ଏଲର ଅଧିକାରୀ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହାୟତା କରିଥିଲେ । ଏନଡିଏମଏ, ଓସ୍ଡମା ତତ୍ତ୍ୱାବଧାନରେ ଜିଲାପାଳ ବିପର୍ଯ୍ୟୟ ପରିଚାଳନା ଗ୍ୟାସ ଲିକ ସମୟରେ ସଜାଗ ଓ ସତର୍କତା ଅବଲମ୍ବନ ଓ ସ୍ଥାନୀୟ ବାସିନ୍ଦାଙ୍କୁ କିଭଳି କୁ-ପ୍ରଭାବ ନପଡେ ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ।