ସବସିଡି ବଣ୍ଟନ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ
ସମ୍ବଲପୁର: ବରଗଡ଼ର ସୋହେଲା ଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚାଷୀ ଭାଇ-ଭଉଣୀଙ୍କ ପାଇଁ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍ ସବସିଡି ବଣ୍ଟନ ଅବସରରେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର ଓ ଆରକ୍ଷୀ ଅଧିକାରୀ ମୁକେଶ କୁମାର ଭାମୁ, ବିଧାୟକ ପ୍ରତିନିଧି ସମୀର ରଞ୍ଜନ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ପଞ୍ଜୀକୃତ ହୋଇଥିବା ୫୯୮୯୫ ଚାଷୀଙ୍କ ମଧ୍ୟରୁ ୪୬୦୦ ଚାଷୀଙ୍କୁ ପାଖାପାଖି ୫୩ କୋଟି ଟଙ୍କା ମିଳିବ । ଜିଲ୍ଲାରେ ପ୍ରାୟ ୮୦% ଲୋକ କୃଷକ ଅଟନ୍ତି । ଯଦି ଆମେ ୮୦୦ ଟଙ୍କାର ଇନପୁଟ୍ ସହାୟତା ପାଇଥାଉ ତେବେ ଏହା ନିଶ୍ଚିତ ଭାବରେ ଆମର କୃଷକମାନଙ୍କୁ ସାହାଯ୍ୟ କରିବ । କୃଷକଙ୍କ ସାମଗ୍ରିକ ଉନ୍ନତି ହେବ ବୋଲି ଜିଲ୍ଲାପାଳ କହିଥିଲେ । ମନ୍ତ୍ରୀ ଶ୍ରୀ ନାୟକ କୃଷକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଯାହା ପାଇଁ କୃଷକମାନେ ଅପେକ୍ଷା କରିଛନ୍ତି । ଚାଷୀମାନେ ୩୧୦୦ ଟଙ୍କାରେ ଧାନ ବିକ୍ରି କରିପାରିବେ । ଯାହା ପାଇଁ ଆମକୁ ସମସ୍ତଙ୍କ ସହଯୋଗ ଦରକାର । ଅନେକ ସମୟରେ କ୍ଷୁଦ୍ର ଚାଷୀମାନେ ଯେତିକି ଟଙ୍କା ପାଇବା କଥା ତାହା ପାଇବାରେ ବିଫଳ ହୁଅନ୍ତି । ସେଇ ଦୃଷ୍ଟିକୁ ନେଇ ମଣ୍ଡି ବ୍ୟବସ୍ଥାକୁ ସୁରୁଖୁର ସମ୍ପାଦନ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି କହିଥିଲେ । ଏଥର ୨୪ଟି ମଣ୍ଡି ବିକାଶ ୮୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟକ ପଞ୍ଚାୟତରେ ମଣ୍ଡିର ଆବଶ୍ୟକ ଅଛି ବୋଲି କହିଥିଲେ । ଏହି ସବସିଡି ଇନପୁଟ ରାଶି ମାତ୍ର ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଉପରୋକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।