ସମସ୍ୟା ଘରରେ ବାଳିକା ଉଚ୍ଚ ବିଦ୍ୟାଳୟ
ାା ନରସିଂହପୁରରୁ ସୁବାସ ପଣ୍ଡାଙ୍କ ରିପୋର୍ଟ ।ା
ସରକାର ନାରୀ ଶିକ୍ଷା ଓ ଡିଜିଟାଲ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ନରସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ନାହିଁ ନାହିଁ ରେ ଚାଲିଛି ଏହି ବିଦ୍ୟାଳୟଟି ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ଖାଲି ସହିତ ଅନେକ ସମସ୍ୟା ଲାଗି ରହିଛି ବିଦ୍ୟାଳୟରେ । ନରସିଂହପୁର ବ୍ଲକର ସର୍ବ ପୁରାତନ ଏହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଟି ୧୯୬୨ ମସିହାରେ ସ୍ଥାପିତ ହୋଇଥିଲା । ପୂର୍ବରୁ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟ ଟି ୨୦୧୯ ମସିହା ରେ ପ୍ରାଥମିକ ବିଦ୍ୟାଳୟଟି ମିଶ୍ରଣ ହୋଇଥିଲା । ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦୫ ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି । ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ୬୧ ଛାତ୍ର ଛାତ୍ରୀ ଥିବାବେଳେ ଷଷ୍ଠ ରୁ ଅଷ୍ଟମ ପର୍ଯ୍ୟନ୍ତ ୧୨୨ ଛାତ୍ର ଛାତ୍ରୀ ଏବଂ ଅଷ୍ଟମ ରୁ ଦଶମ ପର୍ଯ୍ୟନ୍ତ ୧୨୨ ଛାତ୍ରୀ ପଢୁଛନ୍ତି । ଷଷ୍ଠ ରୁ ଅଷ୍ଟମ ୩ ଟି ଶ୍ରେଣୀରେ ୧୨୨ ପିଲାଙ୍କ ପାଇଁ ୪ ଜଣ ବଦଳରେ ମାତ୍ର ଦୁଇଜଣ ଶିକ୍ଷକ ଅଛନ୍ତି । ଯାହା ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ନବମ ଦଶମ ଶ୍ରେଣୀରେ ଜଣେ ଟିଜିଟି ଆର୍ଡ୍ସ ଶିକ୍ଷକ ଖାଲି ପଡ଼ିଥିବା ବେଳେ ବିଶେଷ ସ୍ଥାୟୀ ପ୍ରଧାନ ଶିକ୍ଷୟତ୍ରୀ ପଦବୀ ଖାଲି ପଡିଛି । ପୂର୍ବରୁ ଥିବା ପ୍ରଧାନ ଶିକ୍ଷୟତ୍ରୀ ସୌମ୍ୟା ଶ୍ରୀ ପଣ୍ଡା ଙ୍କର ଗତ ଏପ୍ରିଲ ମାସରୁ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏଡିଇଓ) ଭାବେ ପଦନ୍ନୋତି ପାଇ ବଦଳି ହେବା ପରଠାରୁ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଛି ।
୨୦୧୯ ମସିହାରୁ କମ୍ପୁ୍ୟଟର ଶିକ୍ଷକ ପଦବୀ ଖାଲି ପଡିଛି । ଯାହା ଫଳରେ ଖତ ଖାଉଛି କମ୍ପୁ୍ୟଟର । ବିଦ୍ୟାଳୟ ର ସମ୍ପୂର୍ଣ୍ଣ ସ୍ଥାୟୀ ପାଚେରୀ ନଥିବାରୁ ବିଶେଷ କରି ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସ୍ ରେ ବାରମ୍ବାର ଚୋରି ହେଉଛି । ପାଚେରୀ ନଥିବାରୁ ମଦୁଆ ଓ ଦୁର୍ବୁତ୍ତଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଏହି ବିଦ୍ୟାଳୟ । ଦୁର୍ବୁତ୍ତ ମାନେ ପରିସ୍ରାଗାର ଓ ପାଇଖାନା ଆଦି ବିଭିନ୍ନ ପାଣି ଟ୍ୟାପ ଭାଙ୍ଗି ଦେବା ସହ ବାରମ୍ବାର ଚୋରି କରି ନେଉଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟ ଟି ୫ଟିରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଡ୍ରେନେଜ ସୁବିଧା ନାହିଁ ଯାହା ଫଳରେ ବର୍ଷା ହେଲେ ଆବର୍ଜନା ପାଣି ନିଷ୍କାସନ ହୋଇ ନପାରି ବିଦ୍ୟାଳୟ ପରିସରରେ ଲହଡି ଖେଳିବା ସହ ଶ୍ରେଣୀ ଗୃହ ରେ ପଶୁଛି । ଯାହା ଫଳରେ ପଢାପଢା ବାଧାପ୍ରାପ୍ତ ହେଉଛି ।
ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ପରେ ବର୍ତ୍ତମାନ ବରିଷ୍ଠ ଶିକ୍ଷୟତ୍ରୀ ଜସ୍ମିନି ବିହାରୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱରେ ଅଛନ୍ତି । ନରସିଂହପୁର ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶେଷଦେବ ବେହେରା ଡିଡିଓ ପାୱାର ସହିତ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ବିଭାଗୀୟ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ସହ ଖାଲିପଡିଥିବା ବିଭିନ୍ନ ଶିକ୍ଷକ ପଦବୀ ପୂରଣ କରିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ଦାବୀ ହେଉଛି ।