ଆସନ୍ତାକାଲି ପିଏମ କିଷାନ ଦିବସ

ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ
ବିଭିନ୍ନ ଜିଲ୍ଲା କାର୍ଯ୍ୟକ୍ରମରେ ଯୋଗଦେବେ ମନ୍ତ୍ରୀ ଓ ସାଂସଦ
ଚାଷୀଙ୍କୁ ମିଳିବ ପିଏମ କିସାନ କିସ୍ତି
ଭୁବନେଶ୍ୱର : ଆସନ୍ତାକାଲି ଅପରାହ୍ନରେ ପାଳିତ ହେବ ପିଏମ କିଷାନ ଦିବସ  । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବରଗଡ଼ ଯିବେ  । ସେହିପରି ଅନ୍ୟ ମନ୍ତ୍ରୀ ଓ ସାଂସଦମାନେ ବିଭିନ୍ନ ଜିଲ୍ଲା ଓ କେଭିକେରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ  । ଏହି ଅବସରରେ ଚାଷୀମାନଙ୍କୁ ପିଏମ କିସାନ ଯୋଜନାର ୧୭ତମ କିସ୍ତି ମିଳିବ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ ପରେ ପ୍ରଥମ କ୍ୟାବିନେଟରେ ଏହି ନିଷ୍ପତ୍ତି ନେଇଥିଲେ  ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରିବନ୍ଦ ପାଢ଼ୀ ଏନେଇ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି  । ବରଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି  । ସେହିପରି ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କଟକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ନୟାଗଡ଼ରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, କେନ୍ଦ୍ରାପଡ଼ାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ  ।
ଅପରପକ୍ଷରେ ଢେଙ୍କାନାଳରେ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଖୋର୍ଦ୍ଧାରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସିଫା କୌଶଲ୍ୟାଗଙ୍ଗରେ ଡକ୍ଟର ମୁକେଶ ମହାଲିଙ୍ଗ, ଗଞ୍ଜାମରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଅନୁଗୁଳରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ଚଣା କେଭିକେରେ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ଭଦ୍ରକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, କେଭିକେ ଭଞ୍ଜନଗରରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଜଗତସିଂହପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି  ।
ଏତଦବ୍ୟତୀତ ବାଲେଶ୍ୱର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ସ୍ଥାନୀୟ ସାଂସଦ ଏବଂ ଗଜପତିରେ ବ୍ରହ୍ମପୁର ସାଂସଦ କାର୍ଯ୍ୟକ୍ରମରେ  ଯୋଗଦେବେ  ।