ସମ୍ବଲପୁରର ସୀମା ମେହେର ଜାତୀୟ ସରସ ମେଳାରେ ପାଇଲେ ପୁରସ୍କାର
ଭୁବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ସରସ ମେଳା–୨୦୨୫ର ଉଦଯାପନ ଅବସରରେ ହସ୍ତତନ୍ତ ଷ୍ଟଲ ବର୍ଗରେ ସମ୍ବଲପୁର ଜିଲ୍ଲାର ମା’ ଗଜଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସୀମା ମେହେର ତୃତୀୟ ସ୍ଥାନ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଏହି ଜାତୀୟସ୍ତରୀୟ ଉପଲବ୍ଧି ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋସିଆଲ ମିଡିଆ ମାଧ୍ୟମରେ ଶ୍ରୀମତୀ ମେହେରଙ୍କ ସହିତ ଗୋଷ୍ଠୀର ସମସ୍ତ ସଦସ୍ୟା, ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଏବଂ ସମ୍ବଲପୁର ଜିଲ୍ଲା ପ୍ରଶାସନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ମାସ ୫ ରୁ ୨୨ ତାରିଖ ଯାଏଁ ନୂଆଦିଲ୍ଲୀରେ ଜାତୀୟ ସରସ ମେଳା ୨୦୨୫ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗର ସହଭାଗିତାରେ ଜାତୀୟ ସରସ ମେଳାରେ ଓଡିଶାରୁ ୭ଟି ଷ୍ଟଲ ଯଥା ହସ୍ତତନ୍ତ ବର୍ଗରେ ୩ଟି ଷ୍ଟଲ, ହସ୍ତଶିଳ୍ପ ବର୍ଗରେ ପଟ୍ଟଚିତ୍ର ୧ଟି ଓ ସବାଇ ଉତ୍ପାଦ ୧ଟି ଷ୍ଟଲ, ପ୍ୟାକେଜ ଫୁଡ ପ୍ରଡକ୍ଟର ୧ଟି ଷ୍ଟଲ ଓ ଲାଇଭ ଫୁଡର ୧ଟି ସ୍ଟଲଲ ସ୍ଥାନ ପାଇଥିଲା । ଏହି ୭ଟି ଷ୍ଟଲରେ ସ୍ୱୟଂ ସହାୟକ ଗୋଷ୍ଠୀ ୪୮୬୦ ଉତ୍ପାଦ ବିକ୍ରି କରିବା ସହ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟବସାୟ କରିଛନ୍ତି ।