ସରିଲା ବିହାର ଭୋଟ୍‌ : ୬୮.୫୨% ମତଦାନ

ସରିଲା ବିହାର ଭୋଟ୍‌ : ୬୮.୫୨% ମତଦାନ

ଏକଜିଟ୍‌ ପୋଲ୍‌ : ପୁଣି ଏନଡ଼ିଏ

ସଂସ୍ଥା         ଏନଡ଼ିଏ      ମହାଗଠବନ୍ଧନ     ଅନ୍ୟାନ୍ୟ
ଜେଭିସି'ଏସ୍‌ ପୋଲ      ୧୩୫-୧୫୦       ୮୮-୧୦୩       ୩-୬
ମାଟ୍ରିଜ୍‌        ୧୪୭-୧୬୭         ୭୦-୯୦       ୨-୧୦
ପିପୁଲ୍ସ ଇନସାଇଟ୍‌      ୧୩୩-୧୪୮       ୮୭-୧୦୨       ୩-୬
ପିପୁଲ୍ସ ପଲସ୍‌        ୧୩୩-୧୫୯       ୭୫-୧୦୧       ୨-୧୩
ଦୈନିକ ଭାସ୍କର      ୧୪୫-୧୬୦       ୭୩-୯୧       ୫-୧୦
ଚାଣକ୍ୟ      ୩୦-୧୩୮       ୧୦୦-୧୦୮       ୩-୫
ନ୍ୟୁଜ୍‌ ୧୮        ୧୪୦-୧୫୦       ୮୫-୯୫       ୫-୧୦
ପୋଲ ଅପ ପୋଲ         ୧୪୮           ୮୮           ୭
ପି-ମାର୍କ        ୧୪୨-୧୬୨       ୮୦-୯୮        ୧-୭


ନୂଆଦିଲ୍ଲୀ : ବିହାରରେ କିଏ ମାରିବ ବାଜି ? କିଏ ହେବେ ମୁଖ୍ୟମନ୍ତ୍ରୀ ? ତାହାର ପ୍ରାରମ୍ଭିକ ଉତ୍ତର ଦେଇଛି ଏକଜିଟ୍‌ ପୋଲ୍‌ । ଏକଜିଟ୍‌ ପୋଲ ପ୍ରକୃତ ଫଳ ହୋଇନଥିଲେ ହେଁ ଏହାକୁ ନେଇ ଢେର ଚର୍ଚ୍ଚା ହୋଇଥାଏ । ବିହାରରେ ଏନଡ଼ିଏ ଓ ମହାଗଠବନ୍ଧନ ମଧ୍ୟରେ କଡ଼ା ଲଢେ଼ଇ ହୋଇଥିଲେ ମଧ୍ୟ ଏକଜିଟ ପୋଲର ଆକଳନ ଅନୁଯାୟୀ ପୁଣିଥରେ ଏନଡ଼ିଏ ସରକାର ଗଢ଼ିବ ।


        ଜେଭିସି ପୋଲର ଆକଳନ ଅନୁଯାୟୀ, ଏନଡ଼ିଏକୁ ୧୩୫ରୁ ୧୫୦ ଆସନ ମିଳିବାର ଥିବାବେଳେ ମହାଗଠବନ୍ଧନକୁ ୮୮ରୁ ୧୦୩ ଆସନ ମିଳିବ  । ଯେତେବେଳେକି ଅନ୍ୟଦଳଗୁଡ଼ିକ ୩ରୁ ୬ ଆସନରେ ସନ୍ତୁଷ୍ଟ ରହିବେ । ମାଟ୍ରିଜର ଆକଳନ ଅନୁଯାୟୀ ଏନଡ଼ିଏକୁ ୧୪୭ରୁ ୧୬୭ ଆସନ, ମହାଗଠବନ୍ଧନକୁ ୭୦ରୁ ୯୦ ଆସନ ଓ ଅନ୍ୟ ଦଳଗୁଡ଼ିକୁ ୨ରୁ ୧୦ ଆସନ ମିଳିବ।ଅପରପକ୍ଷରେ ପିପୁଲସ ଇନସାଇଟର ଏକଜିଟ ପୋଲ୍‌ କହୁଛି, ଏନଡ଼ିଏ ୧୩୩ରୁ ୧୪୮, ମହାଗଠବନ୍ଧନ ୮୭ରୁ ୧୦୨ ଓ ଅନ୍ୟମାନେ ୩ରୁ ୬ ଆସନ ପାଇବେ । ଯେତେବେଳେକି ପିପୁଲସ ପଲସର ଆକଳନ ହେଉଛି, ଏନଡ଼ିଏ ୧୩୩ରୁ ୧୫୯ ଆସନ, ମହାଗଠବନ୍ଧନ ୭୫ରୁ ୧୦୧ ଆସନ ଓ ଅନ୍ୟମାନେ ୨ରୁ ୧୩ ଆସନ । ଦୈନିକ ଭାସ୍କର କରିଥିବା ସର୍ଭେ ଅନୁଯାୟୀ, ଏନଡ଼ିଏ ୧୪୫ରୁ ୧୬୦, ମହାଗଠବନ୍ଧନ ୭୩ରୁ ୯୧ ଓ ଅନ୍ୟ ଦଳ ୫ରୁ ୧୦ ଆସନ ପାଇବେ । ନ୍ୟୁଜ୍‌ ୧୮ର ଏକଜିଟ୍‌ ପୋଲ ଆକଳନ କହୁଛି, ଏନଡ଼ିଏ ୧୪୦ରୁ   ୧୫୦ ଆସନ ପାଇବ । ଯେତେବେଳେକି ମହାଗଠବନ୍ଧନକୁ ୮୫ରୁ ୯୫, ଜନସ୍ୱରାଜ ପାର୍ଟିକୁ ୦ରୁ ୫ ଆସନ ଏବଂ ଅନ୍ୟଦଳକୁ ୫ରୁ ୧୦ ଆସନ ମିଳିବ ।


      ସୂଚନାଯୋଗ୍ୟଯେ, ବିହାର ବିଧାନସଭାରେ ୨୪୩ ଆସନ ଥିବାବେଳେ ସାଧାରଣ ବର୍ଗଙ୍କ ପାଇଁ ୨୦୩ ଆସନ, ଏସସିଙ୍କ ପାଇଁ ୩୮ ଆସନ ଓ ଏସଟିଙ୍କ ନିମନ୍ତେ ୨ ଆସନ ସଂରକ୍ଷିତ ରହିଛି । ବିହାରର ଜନସଂଖ୍ୟା ୧୩ କୋଟିରୁ ଉଦ୍ଧ୍ୱର୍ ଥିବାବେଳେ ଭୋଟରଙ୍କ ସଂଖ୍ୟା ୭.୪୩ କୋଟି ରହିଛି । ୧୮ରୁ ୧୯ ବର୍ଷର ଭୋଟରଙ୍କ ସଂଖ୍ୟା ୧୪ ଲକ୍ଷ ଅଛି । ସେଠାରେ ୯୦୭୧୨ଟି ମତଦାନ କେନ୍ଦ୍ର ରହିଥିବାବେଳେ ଆସନ୍ତା ନଭେମ୍ବର ୨୨ରେ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷହେଉଛି । ବିହାରରେ ସରକାର ଗଢ଼ିବା ପାଇଁ ୧୨୨ ଆସନର ଆବଶ୍ୟକତା ଅଛି । ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଜନସୂରାଜ ପାର୍ଟିକୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା । ଦେଶର ସଫଳ ରାଜନୀତିକ ରଣନୀତିକାର ଭାବେ ପ୍ରଶାନ୍ତ କିଶୋରଙ୍କର ସୁନାମ ରହିଛି । ଅନେକ ରାଜ୍ୟରେ ସେ ନିର୍ବାଚନ ରଣନୀତି କରି ସଫଳ ହୋଇଥିବାବେଳେ ଏକଦା ସେ ମୋଦିଙ୍କ ସହ ବି କାର୍ଯ୍ୟ କରିଥିଲେ । ବିହାର ତାଙ୍କର ନିଜ ରାଜ୍ୟ ହୋଇଥିବାବେଳେ ଏଥର ସେ ନିଜ ଦଳକୁ ମଇଦାନକୁ ଓହ୍ଲାଇଥିଲେ । ତେବେ ଏକଜିଟ ପୋଲର ଆକଳନ ପ୍ରଶାନ୍ତ କିଶୋରଙ୍କୁ ଚିନ୍ତାରେ ପକାଇଦେଇଛି । କୌଣସି ଏକଜିଟ୍‌ ପୋଲରେ ପ୍ରଶାନ୍ତ କିଶୋରଙ୍କୁ ୫ରୁ ଅଧିକ ଆସନ ଦେଇନାହିଁ । 


    ଅପରପକ୍ଷରେ ଚଳିତ ନିର୍ବାଚନରେ ନିଶ୍ଚିତ ବିଜୟର ଆଶା ରଖିଥିଲା ମହାଗଠବନ୍ଧନ । ତେଜସ୍ୱୀ ଯାଦବଙ୍କୁ ମେଣ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ଘୋଷଣା କରାଯାଇଥିଲା । ହେଲେ ମ୍ୟାଜିକ ଅଙ୍କ ଛୁଇଁବାରେ ମହାଗଠବନ୍ଧନ ବିଫଳ ହେବବୋଲି ଏକଜିଟ ପୋଲ ଆକଳନରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି । ସରିଲା ବିହାର ବିଧାନସଭା ନିର୍ବାଚନ । ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହୋଇଥିଲା । ଏଥିରେ ବି ରେକର୍ଡ ୬୮.୫୨ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ଗତ ୬ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ମଧ୍ୟ ରେକର୍ଡ ୬୫.୦୮ ପ୍ରତିଶତ ମତଦାନ ହୋଇଥିଲା । ପ୍ରତି ନିର୍ବାଚନରେ ଏକ ନିର୍ଣ୍ଣାୟକ ଭାବରେ ଜଣାଶୁଣା ମଗଧ, ଚମ୍ପାରଣ ଓ ସୀମାଞ୍ଚଳ ଅଞ୍ଚଳର ଅନେକ ଗୁରୁତ୍ୱପୂର୍ଣ୍ଣ ଆସନ ସମେତ ୧୨୨ ଆସନରେ ଭୋଟ ହୋଇଥିଲା । ଆଉ ଇଭିଏମରେ ସିଲ ହୋଇଛି ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ । କାଁ ଭାଁ ଗଣ୍ଡଗୋଳକୁ ଛାଡି ଦେଲେ ପ୍ରାୟ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି । ଏବେ ସମସ୍ତଙ୍କ ଦୃଷ୍ଟି ବିହାରର ହାଇ ଭୋଲଟେଜ ନିର୍ବାଚନ ଉପରେ ରହିଛି । କିଏ ମାରିବ ବାଜି । ଏନଡିଏ କ୍ଷମତା ବଜାୟ ରଖିବ ନା କ୍ଷମତାକୁ ଫେରିବ ମହାଗଠନ ବନ୍ଧନ । ଏନେଇ ଅପେକ୍ଷା କରିବାକୁ ପଡିବ ଆସନ୍ତା ୧୪ ତାରିଖକୁ । ଏହି ନିର୍ବାଚନରେ ଶାସକ ଏନଡିଏ ଓ ପୁନରଗଠିତ ମହାଗଠବନ୍ଧନ ମଧ୍ୟରେ କାଣ୍ଟେ କେ ଟକ୍ମର ଦେଖିବାକୁ ମିଳିଛି । ତେବେ ଏହି ଲଢେଇରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି, ଅସଦୁଦ୍ଦିନ ଓୱେସିଙ୍କ ଏଆଇଏମଆଇଏମ ମଧ୍ୟ ନିର୍ବାଚନ ମଇଦାନରେ ଅଛି । ଏହି ଦୁଇ ଦଳ ସୀମାଞ୍ଚଳ ଅଞ୍ଚଳରେ କ୍ଷତି ପହଞ୍ଚାଇ ପାରନ୍ତି । କାରଣ ଏଠାରେ ମୁସଲିମ ଓ ଦଳିତ ଭୋଟରମାନେ ଚୂଡ଼ାନ୍ତ ଗଣିତର ପ୍ରମୁଖ ଭୂମିକା ଗ୍ରହଣ କରିବେ ।