ପୁଲିସ୍ ଏସଆଇ ନିଯୁକ୍ତି ସ୍କାମ୍ : ସିବିଆଇ ତଦନ୍ତ ପାଇଁ କେନ୍ଦ୍ରର ଅନୁମତ
ପୂର୍ବରୁ ମୁଖ୍ୟମନ୍ତ୍ରୀ କରିଥିଲେ ସୁପାରିଶ
ଭୁବନେଶ୍ୱର : ବହୁଚର୍ଚ୍ଚିତ ପୁଲିସ୍ ଏସଆଇ ନିଯୁକ୍ତି ସ୍କାମର ତଦନ୍ତ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅକ୍ଟୋବର ୨୨ରେ ବିଧିବଦ୍ଧ ଭାବେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା । ଆଜି ବିଧିବଦ୍ଧ ଭାବେ ଡିଓପିଟି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଫଳରେ ସିବିଆଇ ତଦନ୍ତ ପାଇଁ ବାଟ ପ୍ରଶସ୍ତ ହୋଇଯାଇଛି ।ଓଡିଶା ପୋଲିସ ସବ୍-ଇନ୍ସ୍ପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ସିବିଆଇ ଦ୍ୱାରା କରାଯିବ । ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ଅନୁମୋଦନ ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ପୋଲିସ ସବ୍-ଇନ୍ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କ କ୍ରାଇମ ବ୍ରାଞ୍ଚ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଥିଲା । ତେବେ ଏହି ତଦନ୍ତରୁ ଦୁର୍ନୀତିର ଚେର ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥିବାର ସନ୍ଦେହ କରାଯାଉଛି । ଏଥିରେ ଆନ୍ତରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବାର ସନ୍ଦେହ ମଧ୍ୟ ରହିଛି । ତେଣୁ ଏହାର ଉପଯୁକ୍ତ ବିସ୍ତୃତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ଦୁର୍ନୀତି ପାଇଁ ହୋଇଥିବା ଉଦ୍ୟମ, ପ୍ରୋତ୍ସାହନ ଓ ଷଡଯନ୍ତ୍ର ସମ୍ପର୍କରେ ସିବିଆଇ ତଦନ୍ତ କରିବ ।