ଆଉଟସୋର୍ସିଂରେ ଚାଲିଛି ଓଡ଼ିଶା କଂଗ୍ରେସ ?

Odisha Congress

ଆଉଟସୋର୍ସିଂରେ ଚାଲିଛି ଓଡ଼ିଶା କଂଗ୍ରେସ ?

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତିକ ମାହୋଲ ସରଗରମ ହୋଇଯାଇଥିବାବେଳେ ଦୁଇ ଦଫା ନିର୍ବାଚନ ସରିଗଲାଣି  । ହେଲେ ରାଜ୍ୟ କଂଗ୍ରେସର ସ୍ଥିତି କିନ୍ତୁ ଘୁଣ ଖାଇବାରେ ଲାଗିଛି  । ଏଠି ମୁଣ୍ଡ କିଏ, ଦଳ କିଏ ଚଳାଉଛି, ପାଣ୍ଠି କିଏ ଯୋଗାଉଛି ସେ ବିଷୟରେ ପ୍ରାର୍ଥୀ ଟେର ପାଉନାହାନ୍ତି  । ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ମଧ୍ୟରେ ସଉତୁଣୀ କଳି ଆରମ୍ଭ ହୋଇଯାଇଛି  । ଏସବୁ ଭିତରେ ସବୁଠାରୁ ବଡ଼ କଥା ହେଉଛି, ରାଜ୍ୟ କଂଗ୍ରେସ ଏବେ ଆଉଟସୋର୍ସିଂରେ ଚାଲିଛି କହିଲେ ଭୁଲ୍‌ ହେବନାହିଁ  । ଓଡ଼ିଶାର ନେତାଙ୍କ ବଦଳରେ ଏଠାରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର କିଛି ବ୍ୟକ୍ତି ମାମଲତି କରୁଥିବା ଦେଖିବାକ୍‌ୁ ମିଳୁଛି  । ଯାହାକୁ ନେଇ ଏବେ କଂଗ୍ରେସ ଅଳିନ୍ଦରେ ହଇଚଇ ସୃଷ୍ଟିହୋଇଛି  ।

କଂଗ୍ରେସ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଦଳର ଟିକେଟ ଆବଣ୍ଟନରେ ଓଡ଼ିଶାର ନେତାମାନେ ନୁହଁନ୍ତି ବରଂ ସାୟକ ଦତ୍ତ ଓ ଦୀପକ ପୁବାଳଙ୍କ ଭଳି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ  । ଖାଲି ଟିକେଟ ଆବଣ୍ଟନ ନୁହେଁ, ପ୍ରାର୍ଥୀଙ୍କୁ ଅର୍ଥ ପ୍ରଦାନ ଓ ଅନ୍ୟାନ୍ୟ ପରିଚାଳନା ଏମାନଙ୍କ ହାତରେ ନ୍ୟସ୍ତ କରାଯାଇଛି  । ସେହିପରି ୱାର ରୁମ୍‌ ଦାୟିତ୍ୱରେ ଅଛନ୍ତି ରିତେଶ କୁମାର ଓ ଅମିତ ରାୟ  । ଯେଉଁମାନେ କି ଏଲଇଡ଼ି ଭେଇକିଲ କଥା ବୁଝିବା ସହ ରାଲି ପାଇଁ ପାଣ୍ଠି କଥା ବି ବୁଝାବୁଝି କରୁଛନ୍ତି  । ସୋସିଆଲ ମିଡ଼ିଆ ଦାୟିତ୍ୱରେ ରହିଛନ୍ତି ସୁମିତ ଦୁବେ ଓ ବବିତ ଶର୍ମା  । ଅପରପକ୍ଷରେ ମିଡ଼ିଆ ଇନଚାର୍ଜ ଦାୟିତ୍ୱରେ ପ୍ରଭାତ କୁମାର ରହିଥିବା କଂଗ୍ରେସ ଅଳିନ୍ଦରୁ ଜାଣିବାକୁ ମିଳିଛି  ।

ଜାମସେଦପୁରର ଅଭିଜିତ ଓ ଇମ୍ରାନ ଅର୍ଥ ନେଣଦେଣ କଥା ବୁଝୁଛନ୍ତି ବୋଲି ଜଣେ କଂଗ୍ରେସ ନେତା ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି  । ନିର୍ବାଚନର ଦେଢ଼ ମାସ ପୂର୍ବରୁ କଂଗ୍ରେସ ସବୁଠାରୁ ଅଧିକ ସକ୍ରିୟ ଥିବା କୁହାଯାଉଥିଲା  । କିନ୍ତୁ ପରେପରେ କଂଗ୍ରେସର ସବୁ ପୁରୁଣା ରୋଗ ଗୋଟିକ ପରେ ଗୋଟିଏ ବାହାରିଥିଲା  ।  ବାରବାର ପ୍ରାର୍ଥୀ ଅଦଳବଦଳ ଯୋଗୁଁ ଅନେକ ସ୍ଥାନରେ ବିଦ୍ରୋହ ମଧ୍ୟ ଦେଖିବାକୁ ମିଳିଛି  । କିଏ ଟଙ୍କା ଅଭାବରୁ ଟିକେଟ ଫେରାଇଲେ ତ ଆଉ କିଏ ଦଳୀୟ କାର୍ଯ୍ୟାଳୟରେ ହଙ୍ଗାମା କରିବାକୁ ବି ପଛାଇଲେ ନାହିଁ  । କେଉଁମାନେ କାନ୍ଦିକାନ୍ଦି ଦଳ ଛାଡ଼ିବାକୁ ବି ବାଧ୍ୟ ହୋଇଛନ୍ତି  । କଂଗ୍ରେସର ନିର୍ବାଚନ ପରିଚାଳନାରେ ଅବ୍ୟବସ୍ଥା ପାଇଁ ଭୋଟ ବ୍ୟାଙ୍କ ବି ପ୍ରଭାବିତ ହୋଇଛି  । ଏଥର ରାହୁଲ ଗାନ୍ଧୀ ଓଡ଼ିଶାକୁ ଫୋକସ କରି ବାରବାର ପ୍ରଚାରକୁ ଆସୁଥିଲେ ମଧ୍ୟ ଗୋଦରା କୋଡେ଼ ଯେତେ ମାଡେ଼ ସେତେ  ନ୍ୟାୟରେ ଦଳର ପ୍ରଦର୍ଶନ କେମିତି ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇବା ସ୍ୱାଭାବିକ  ।