ସାଇବର ସୁରକ୍ଷା ପାଇଁ ମୋହନଙ୍କ ଘୋଷଣା : ନିଯୁକ୍ତି ପାଇବେ ୧୧୨୭ ନୂଆ ପୁଲିସ

 ସାଇବର ସୁରକ୍ଷା ପାଇଁ ମୋହନଙ୍କ ଘୋଷଣା : ନିଯୁକ୍ତି ପାଇବେ ୧୧୨୭ ନୂଆ ପୁଲିସ
  • ୧୭୦ ବୈଷୟିକ ବିଶେଷଜ୍ଞ ନିଯୁକ୍ତ ହେବେ
  • ନୂଆପଡା ବ୍ୟତୀତ ସବୁ ଜିଲ୍ଲାରେ ବୁଲିବ ସଚେତନତା ରଥ

ଭୁବନେଶ୍ୱର,୧୮ା୧୦ : ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ବୋଲି ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଅଭିଯାନରେ ଏକ ମାସବ୍ୟାପୀ ନୂଆପଡା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାଗୁଡିକରେ ସଚେତନତା ରଥ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ କରାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସଚେତନତା ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଦେଶର ପ୍ରାୟ ୮୨ କୋଟି ଲୋକ ଅର୍ଥାତ ୫୫% ଲୋକ ଆଜି ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି । ବିଶ୍ୱରେ ଇଣ୍ଟରନେଟ୍‌ ବ୍ୟବହାର କ୍ଷେତ୍ରରେ ଭାରତର ସ୍ଥାନ ଦ୍ୱିତୀୟ ରହିଛି । ଆମ ଦୈନନ୍ଦିନ ଜୀବନରେ ଆମେ ସମସ୍ତେ ଡିଜିଟାଲ୍‌ ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ହୋଇଯାଇଛୁ । ଆଜି  ଇଣ୍ଟରନେଟ୍‌ ବ୍ୟବହାରୀକାରୀଙ୍କୁ ସାଇବର ଅପରାଧ, ଅନଲାଇନ ଠକେଇ ଭଳି ଅପରାଧର ଶିକାର ହେବାକୁ ପଡୁଛି । ଏଥିପାଇଁ ଆମ ସରକାର ସାଇବର ପୋଲିସଙ୍କୁ ଶକ୍ତିଶାଳୀ କରିବା, ସଚେତନତା ବୃଦ୍ଧି କରିବା ଓ ସୁରକ୍ଷିତ ଡିଜିଟାଲ ପରିବେଶ ଗଠନ କରିବା ଭଳି ପଦକ୍ଷେପମାନ ଗ୍ରହଣ କରିଛନ୍ତି । 
ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ରାଜ୍ୟରେ ଖୁବଶୀଘ୍ର ଆଉ ୨୦ଟି ନୂତନ ସାଇବର ଅପରାଧ ପୋଲିସ୍‌ ଷ୍ଟେସନ କାର୍ଯ୍ୟକ୍ଷମ ହେବ । ଏହା ସହ ପୂର୍ବରୁ ଥିବା ୧୪ଟି ସାଇବର ପୋଲିସ୍‌ ଷ୍ଟେସନର ଆଧୁନିକୀକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏକ୍ଷେତ୍ର ପାଇଁ ୧୧୨୭ଟି ନୂତନ ପୋଲିସ ପଦବୀ ସହିତ ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ। ଏଥିସହିତ କ୍ରାଇମବ୍ରାଞ୍ଚ ଅଧୀନରେ ଏକ ରାଜ୍ୟସ୍ତରୀୟ କମାଣ୍ଡ ସେଣ୍ଟର ଗଠନ କରାଯିବ ଏବଂ ଏହି ସେଣ୍ଟରଟି ସାଇବର ଅପରାଧ ରୋକିବା କ୍ଷେତ୍ରରେ ସେଣ୍ଟର ଅଫ୍‌ ଏକ୍‌ସେଲେନ୍ସ ଭାବରେ କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀ ଇଣ୍ଟରନେଟ୍‌ ଜରିଆରେ ଝିଅମାନଙ୍କୁ ବ୍ଲାକମେଲିଙ୍ଗ ଓ ମାନସିକ ନିର୍ଯ୍ୟାତନା ଉପରେ କ୍ଷୋଭ ପ୍ରକାଶ କରି ଓଡିଶା ପୋଲିସକୁ ଏହି ମାନସିକତା ରଖୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପଦକ୍ଷେପ ନନେଲେ ସମ୍ପୃକ୍ତ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ  । ମୁଖ୍ୟମନ୍ତ୍ରୀ ଏହି ଅବସରରେ ୧୬ଟି ସଚେତନତା ରଥକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଗୁଡିକ ନୂଆପଡା ଜିଲ୍ଲାକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଏକ ମାସ ଧରି ଲୋକଙ୍କୁ ସଚେତନ କରାଇବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅତିଥି, ସରକାରୀ ଅଧିକାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ଏକ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଓଡିଶା ପୋଲିସକୁ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଦେଇ କହିଥିଲେ ଯେ, ସାଇବର ସୁରକ୍ଷା ବିଷୟରେ ସମସ୍ତେ ସଚେତନ ହେବା ଅତ୍ୟନ୍ତ ଜରୁରୀ । ଏହି ସଚେତନତା କାର୍ଯ୍ୟକ୍ରମ କେବଳ ଗୋଟିଏ ବିଭାଗର କାର୍ଯ୍ୟକ୍ରମରେ ସୀମିତ ନରଖି ଏହି ଆଭିମୁଖ୍ୟକୁ ସମସ୍ତେ  ଆପଣେଇବା ଉଚିତ୍‌ । ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରି ସାଇବର ଅପରାଧ କ୍ଷେତ୍ରରେ ଓଡିଶା ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ । କ୍ରାଇମବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।