ସାରର ଅଭାବୀ ସମସ୍ୟା ନେଇ ଆଲୋଚନା
ନୂଆପଡା : ଭୁବନେଶ୍ୱର ସ୍ଥିତ ରାଜ୍ୟ ସରକାରଙ୍କ କୃଷି ଭବନରେ ଚାଷୀ ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ କୃଷିବିଭାଗ ଯୁଗ୍ମ ନିଦେ୍ର୍ଦଶକ ବସନ୍ତ ଦେ, ଡେପୁଟୀ ଡାଇରେକ୍ଟର କୃଷି ବିଭାଗ ସାରଦା ପ୍ରସନ୍ନ କରଙ୍କ ସହିତ ଜିଲ୍ଲାରେ ଦେଖା ଦେଇଥିବା ସାର ଅଭାବ ବିଶେଷ କରି ୟୂରିଆ ସାର ଅଭାବ ଉପରେ ଆଲୋଚନା କରିଥିଲେ । ନୂଆଖାଇ ପୂର୍ବରୁ ନୂଆପଡା ଜିଲ୍ଲା କୁ ଆସି ଥିବା ୟୁରିଆ ସାର ଯଥେଷ୍ଟ ନୁହେଁ, ତୁରନ୍ତ ନୂଆପଡା ଜିଲ୍ଲା କୁ ୟୁରିଆ ସାର ଯୋଗାଣ ପାଇଁ ଉଚିତ ପଦକ୍ଷେପ ନେବାକୁ ଶ୍ରୀ ପାଣିଗ୍ରାହୀ ଦାବି କରି ଥିଲେ । ଡେପୁଟୀ ଡାଇରେକ୍ଟର ଶ୍ରୀ କର ପ୍ରକାଶ କରିଥିଲେ ଯେ, ଆମେ ଚାଷୀ ଙ୍କ ପାଇଁ ସମ୍ବେଦଶୀଳ ଅଟୁ, ନୂଆପଡା ଜିଲ୍ଲା ପାଇଁ ଉତ୍ତର ପ୍ରଦେଶର ଫୁଲପୁର ସାର କାରଖାନାରୁ ନୂଆପଡାକୁ ଆସନ୍ତା ପାଞ୍ଚ କିମ୍ବା ଛଅ ସେପ୍ଟେମ୍ବର ପୁର୍ବରୁ ଅଧା ରେକ ଅର୍ଥାତ୍ ୨୭,୦୦୦ କି୍ୱଣ୍ଟାଲ ୟୁରିଆ ସାର ପହଞ୍ଚିବା ପାଇଁ ବ୍ୟବସ୍ଥା ହୋଇସାରିଛି । ଏହା ବି ଯଥେଷ୍ଟ ହୋଇ ନ ପାରେ, ଆହୁରି ଅଧା ରେକ ଅର୍ଥାତ ୨୭୦୦୦ କି୍ୱଣ୍ଟାଲ ୟୁରିଆ ଆଗାମୀ ସେପ୍ଟେମ୍ୱର ୧୦ କିମ୍ବା ୧୧ ସୁଦ୍ଧା ପଠେଇବା ପାଇଁ ଶ୍ରୀ ପାଣିଗ୍ରାହୀ ଉଭୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଜିଲ୍ଲାରେ ସାର ଅଭାବ ଦେଖା ଦେଇଥିବା ବେଳେ, ଏହି ସମସ୍ୟାର ସମାଧାନ ପାଇଁ କୃଷି ବିଭାଗର ଉଚ୍ଚ ଅଧିକାରୀସ୍ତରରେ ରୀତିମତ ଯୋଗାଯୋଗ ଓ ସମ୍ପର୍କରେ ପ୍ରଚେଷ୍ଟା ଜାରି ରହିଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ସାର ଯୋଗାଣ ସହିତ ସମ୍ପୃକ୍ତ ଅଧିକାରୀ, ଡିଲର, ରିଟେଲର ସେ ଯେ, କେହି ବି ସାର ବେନିୟମ ଗଚ୍ଛିତ ରଖି କଳାବଜାରୀ କରୁଥିବା କିମ୍ବା ଛତିଶଗଡ ରାଜ୍ୟକୁ ଚୋରା ଚାଲାଣ କରି ନୂଆପଡା ଜିଲ୍ଲା ଚାଷୀଙ୍କ ହକ୍ ମାରୁଥିବ ତାର ଏକ ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଚାଷୀଙ୍କୁ ୟୁରିଆ ସାର ନେବା ପାଇଁ ବିଭିନ୍ନ କମ୍ପାନୀର ପେଷ୍ଟିଶାଇଡ୍ କିମ୍ବା ଅନ୍ୟ ପ୍ରଡକ୍ଟକୁ ଟ୍ୟାଗ୍ କରି ଚାଷୀଙ୍କୁ ହଇରାଣ ଓ ଖର୍ଚ୍ଚାନ୍ତ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ସାରର ସୁଗମ ଯୋଗାଣ ପାଇଁ ଇଫକୋର ଓଡ଼ିଶା ମାର୍କେଟିଂ ମ୍ୟାନେଜର ସୌମିକ୍ ମଣ୍ଡଳ ଓ ପିପିଏଲର ରାଜ୍ୟ ମାର୍କେଟିଂ ଅଧିକାରି କାଳୀ ଚରଣ ରାଉତଙ୍କୁ ତାଙ୍କ କାର୍ଯ୍ୟାଳରେ ଆଲୋଚନା କରାଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।