ସିପାହୀ ନିଯୁକ୍ତିରେ ରୋକ୍

 କଟକ : ଆଇଆରବି ବାଟାଲିୟନ୍ କନ୍ଷ୍ଟେବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ଗୁରୁବାର ରୋକ୍ ଲଗାଇଛନ୍ତି ହାଇକୋର୍ଟ  । ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା  । କିନ୍ତୁ ଅନ୍ୟାଦେଶ ଯାଏ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଆଜି ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି  । ବୟସ ଅତିକ୍ରାନ୍ତ କରିଥିବା ପ୍ରାର୍ଥୀମାନଙ୍କ ଉଦେ୍ଦଶ୍ୟରେ ପୂର୍ବରୁ ଯେଉଁ ନିଦେ୍ର୍ଦଶ ଜାରି ହୋଇଥିଲା, ତାହା କାର୍ଯ୍ୟକାରୀ ନହେବା ଅଭିଯୋଗରେ ଏକ ପିଟିସନ୍ ଦାୟର ହୋଇଥିଲା  । ଆବେଦନର ଶୁଣାଣି କରି ଆଜି ଏଭଳି ନିଦେ୍ର୍ଦଶନାମା ଜାରି କରିଛନ୍ତି ହାଇକୋର୍ଟ  । କୋଭିଡ୍ କାରଣରୁ ପ୍ରାୟ ୩ ବର୍ଷ ଯାଏଁ ଆଇଆରବି କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିଲା  । ଏହି ସମୟ ଭିତରେ କିଛି ପ୍ରାର୍ଥୀଙ୍କର ବୟସ ଅତିକ୍ରାନ୍ତ ହୋଇଯାଇଥିଲା  । ସୂଚନାଯୋଗ୍ୟଯେ, କରୋନା ଯିବା ପରେ ପ୍ରାୟ ୧୮ ଶହ ଆଇଆରବି କନଷ୍ଟେବଳ ସିପାହୀ ପଦ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା  । ତେବେ ସେଥିରେ ବୟସାଧିକ୍ୟ କାରଣରୁ ବାଦ ପଡ଼ିଥିବା କିଛି ପ୍ରାର୍ଥୀ ଇଣ୍ଟରଭୁ୍ୟ ଦେବା ଲାଗି ଅନୁମତି ଲୋଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ  । କୋର୍ଟ ସେମାନଙ୍କ ଆବେଦନକୁ ବିଚାର କରି, ଇଣ୍ଟରଭୁ୍ୟରେ ସାମିଲ ହେବା ଲାଗି ନିଦେ୍ର୍ଦଶ ଦେଇଥିଲେ  । ଏହାରି ଭିତରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି  । କିନ୍ତୁ ଓଭର ଏଜ୍ ପ୍ରାର୍ଥୀମାନେ ମେଧା ତାଲିକାରୁ ବାଦ ପାଇଥିବାରୁ ସେମାନେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଛନ୍ତି  ।