ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ରାଜ୍ୟ ବାର କାଉନସିଲ ନିର୍ବାଚନ ତଦାରଖ କରିବେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି
ନୂଆଦିଲ୍ଲୀ : ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଏଣିକି ସମସ୍ତ ରାଜ୍ୟ ବାର କାଉନସିଲ ନିର୍ବାଚନ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି ସୂର୍ଯ୍ୟକାନ୍ତ ଓ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ବାର କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ) ସହିତ ରାଜ୍ୟ ବାର କାଉନସିଲଗୁଡ଼ିକ ଉପରେ ବିଶ୍ୱାସର ଅଭାବ ରହିଛି । ତେଣୁ ପ୍ରତ୍ୟେକ ରାଜ୍ୟରେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ୱାଧୀନ ନିର୍ବାଚନ ପ୍ୟାନେଲ ଏହି ପ୍ରକ୍ରିୟା ତଦାରଖ ପାଇଁ ନିଯୁକ୍ତ କରାଯିବ । ବରିଷ୍ଠ ଓକିଲ ମନନ କୁମାର ମିଶ୍ର, ଯିଏ କି ବାର କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ କହିଛନ୍ତି ଯେ ବାର ସଂସ୍ଥାଗୁଡ଼ିକର ନିର୍ବାଚନ ପରିଚାଳନା ପାଇଁ ଅବସରପ୍ରାପ୍ତ ବିଚାରପତିମାନଙ୍କୁ ନିଯୁକ୍ତି ଦିଆଗଲେ ଆମର କୌଣସି ଆପତ୍ତି ନାହିଁ ।
ରାଜ୍ୟ ବାର ପରିଷଦ କିମ୍ବା ବାର ଆସୋସିଏସନ ନିର୍ବାଚନ ପୃଥିବୀର ସବୁଠାରୁ କଷ୍ଟକର ନିର୍ବାଚନ ବୋଲି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି । ଏହାସହ ଶ୍ରୀ ମିଶ୍ରଙ୍କୁ ଯଥାଶୀଘ୍ର ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ବିଷୟରେ ସୂଚନା ଦେବାକୁ କହିଥିଲେ । ଶ୍ରୀ ମିଶ୍ର କହିଛନ୍ତି ଯେ ପଞ୍ଜାବ ଓ ହରିୟାଣା ବାର କାଉନସିଲର ନିର୍ବାଚନ ଆଜି ସୂଚିତ କରାଯିବ ଏବଂ ଏହି ସପ୍ତାହରେ ସାତଟି ରାଜ୍ୟର ତାରିଖ ସୂଚିତ କରାଯିବ । ମଧ୍ୟସ୍ଥି ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ ମାଧବୀ ଦିୱାନ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଉଛି ବୋଲି ଉପସ୍ଥାପନ କରିଥିଲେ ଏବଂ ଦର୍ଶାଇଥିଲେ ଯେ ଅକ୍ଟୋବର ୯ ତାରିଖରେ ଦିଲ୍ଲୀ ବାର୍ କାଉନସିଲ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲା । କିନ୍ତୁ ଅକ୍ଟୋବର ୧୦ ତାରିଖରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ସଂସ୍ଥାକୁ ଭାଙ୍ଗି ଦେବା ପାଇଁ ଏକ ନୋଟିସ୍ ଜାରି କରାଯାଇଥିଲା । ଏନେଇ ଶ୍ରୀ ମିଶ୍ର କହିଛନ୍ତି ଯେ ସେମାନେ ବାର୍ କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ)କୁ ନିର୍ବାଚନ ପ୍ରକ୍ରିୟାରୁ ବାହାର କରିବାକୁ ଚାହାଁନ୍ତି ଏବଂ ନିର୍ବାଚନ ସେମାନଙ୍କ ଇଚ୍ଛା ଅନୁଯାୟୀ ହେଉ ବୋଲି ଚାହାଁନ୍ତି । ଖଣ୍ଡପୀଠ ଦିୱାନଙ୍କୁ କହିଥିଲେ ଯେ ବିସିଆଇକୁ ନିର୍ବାଚନ ପ୍ରକ୍ରିୟାରୁ ବାହାର କରାଯାଇପାରିବ ନାହିଁ ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ, ଏହା ସମସ୍ତ ବାର୍ କାଉନସିଲ ନିର୍ବାଚନ ପାଇଁ ସ୍ଥାନୀୟ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତି ଦେବ ।