ସୁପ୍ରିମ୍କୋର୍ଟରେ କେନ୍ଦ୍ରର ପକ୍ଷ
ନୂଆଦିଲ୍ଲୀ : ୱାକ୍ଫ ହେଉଛି ଏକ ଦାତବ୍ୟ ସଂସ୍ଥା । ଇସଲାମ୍ର ଏହା ଗୁରୁତ୍ୱପୂର୍ଣ୍ଣ ଅଂଶ ନୁହେଁ । ୱାକଫ ସମ୍ପତ୍ତି ଛଡ଼ାଇ ନିଆଯାଉଛି ବୋଲି ଏକ ମିଛ ପ୍ରଚାର ଚାଲିଛି । ସୁପ୍ରିମକୋର୍ଟରେ ଏଭଳି ଯୁକ୍ତି ଉପସ୍ଥାପନ କରିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ।
ୱାକଫ ହେଉଛି ଇସଲାମର ଏକ ଦାନ । ପ୍ରତି ଧର୍ମରେ ଦାନ ଧର୍ମ ରହିଛି । ଖ୍ରୀଷ୍ଟିଆନ୍ ଧର୍ମରେ ବି ଏଭଳି ରହିଛି । ହିନ୍ଦୁ ଓ ଶିଖମାନେ ବି ଦାନ କରନ୍ତି । କେନ୍ଦ୍ର ସରକାରଙ୍କର ସମସ୍ତ ପ୍ରକାର ଆଇନଗତ କ୍ଷମତା ରହିଛି । ସରକାରୀ ଜମି ଉପରେ କାହାର ବି ଅଧିକାର ନାହିଁ । ସୁପ୍ରିମକୋର୍ଟ ମଧ୍ୟ ଏହି ମର୍ମରେ ରାୟ ଶୁଣାଇ ସାରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର ଗଭାଇ ଓ ଜଷ୍ଟିସ ଅଗଷ୍ଟାଇନ୍ ଜର୍ଜ ମାସିହଙ୍କ ଦୁଇଜଣିଆ ଖଣ୍ଡପୀଠରେ କେନ୍ଦ୍ର ପକ୍ଷରୁ ଏଭଳି ପକ୍ଷ ରଖାଯାଇଛି ।
ସେହିପରି ମେହେଟ୍ଟା କହିଛନ୍ତିଯେ, ‘ୱାକଫ ବାୟ ୟୁଜର’ ଏକ ମୌଳିକ ଅଧିକାର ନୁହେଁ । ବ୍ରିଟିଶ୍ ଓ ପୂର୍ବ ସରକାରମାନେ ଯେଉଁ ସମସ୍ୟାର ସମାଧାନ କରିପାରିନଥିଲେ ସେହି ସମସ୍ୟାର ଏବେ ସମାଧାନ କରାଯାଇଛି । କିଛି ନିର୍ଦ୍ଦିଷ୍ଟ ପିଟିସନର ସମଗ୍ର ମୁସଲିମ୍ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁନାହାନ୍ତି । କେନ୍ଦ୍ର ସରକାରଙ୍କୁ ୯୬ ଲକ୍ଷ ପ୍ରତିନିଧିତ୍ୱ ମିଳିଛି । ଯୁଗ୍ମ ସଂସଦୀୟ କମିଟିର ବୈଠକ ମଧ୍ୟ ୩୬ ଥର ବସିଛି ବୋଲି ସେ କହିଥିଲେ ।