ସେଣ୍ଟଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକୋତ୍ସବ 

 ବ୍ୟାସନଗର: କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ଅଧିନସ୍ଥ ସେଣ୍ଟଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ୧୪ତମ ବାର୍ଷିକୋତ୍ସବ ଦଳା ସ୍ଥିତ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି । କେଜିଆଇର ଚେୟାରମ୍ୟାନ୍ ଇଂ. ଆଲେକଜାଣ୍ଡାର ଦାସଙ୍କ ସ୍ୱାଗତ ଭାଷଣରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏମ୍ଏଚ୍ଆରଡିର ପୂର୍ବତନ ୟୁନିଅନ୍ ସେକ୍ରେଟାରୀ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଅରୁଣ କୁମାର ରଥ ଯୋଗ ଦେଇଥିବା ସମୟରେ ସମ୍ମାନିତଅତିଥି ଭାବେ ଜେଆଇଏସ୍ ୟୁନିଭରସିଟି ପ୍ରୋ-ଚାନ୍ସଲର ପ୍ରଫେସର ନିରଜ ସକ୍ସେନା ଯୋଗ ଦେଇଥିଲେ । ବର୍ତମାନ ସମୟରେ ଛାତ୍ରଛାତ୍ରୀଙ୍କୁ କେବଳ ପାଠପଢ଼ା ପାଇଁ ଚାପ ପ୍ରୟୋଗ ନକରି, ସିଲାବସ୍ ପରି ପଞ୍ଜୁରୀରେ ବାନ୍ଧି ନରଖି ମୁକ୍ତ କରିବା ନିମନ୍ତେ ଅତିଥି ମତବ୍ୟକ୍ତ କରିଥିଲେ । ସମୟରେ ନ୍ୟାସନାଲ ଏଜୁକେସନ ପଲିସୀ ୨୦୨୦ର ଥିମ୍-ଲର୍ନ, ଅନ୍-ଲର୍ନ, ରି-ଲର୍ନ ଉପରେ ପର୍ଯ୍ୟବେଷିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ସ୍କୁଲର ପଦକ୍ଷେପର ପ୍ରଶଂସା କରିଥିଲେ । କେବଳ ପାଠ ପଢୁଥିବା ଛାତ୍ରଛାତ୍ରୀ ନୁହେଁ ବରଂ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ବିଭାଗୀୟ ଶିକ୍ଷାରେ ନିୟୋଜିତ କରାଯାଇପାରିଲେ ଦେଶର ଉନ୍ନତି ହୋଇପାରନ୍ତା ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ କେଜିଆଇର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ରଞ୍ଜନ କୁମାର ଦାସ ଜଣେ ଭଲ ମଣିଷ ହେବାପାଇଁ କେବଳ ଭଲ ପାଠ ପଢିବା ବା ପରୀକ୍ଷାରେ ଭଲ ପ୍ରତିଶତ ରଖି ଉତୀର୍ଣ୍ଣ ହେବାର ଆବଶ୍ୟକତା ନାହିଁ ବୋଲି ମତ ଦେବା ସହ ଛାତ୍ରଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ପ୍ରତି ଗୁରୁତ୍ୱ ଦେବା ନିମନ୍ତେ ଅଭିଭାବକ ମାନଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲର ନବମ ଶ୍ରେଣୀର ଛାତ୍ର ଶ୍ରୀମାନ ୟଶରାଜ୍ ମହାନ୍ତିଙ୍କୁ ଷ୍ଟୁଡେଂଟ ଅଫ୍ ଦି ୟିଅର୍ ଭାବରେ ସମ୍ବର୍ଦ୍ଧିତ କରାଯାଇଥିବା ସମୟରେ ପ୍ରତ୍ୟେକ ଶ୍ରେଣୀର ଟପ୍ପର ଛାତ୍ରଛାତ୍ରୀ ଏବଂ ବିଗତବର୍ଷ ଦଶମ ଶ୍ରେଣୀରେ ଟପ୍ପର ହୋଇଥିବା ଆୟୁଷ ପଣ୍ଡା ଓ ରୁକସାର୍ ନାସରିନ ଏବଂ ତାଙ୍କର ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ କରାଟେରେ ଓଡ଼ିଶାକୁ ଜାତୀୟସ୍ତରରେ ପ୍ରତିନିଧିତ୍ୱ କରୁଥିବା ସ୍କୁଲର ଛାତ୍ରୀ ଆର୍ୟସୃଷ୍ଟିକୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍କୁଲର ପ୍ରିନ୍ସିପାଲ ଦେବାଶିଷ ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସିରାଜ୍ ଅଲ୍ଲୀ ଏବଂ ଶର୍ମର୍ିଳା ସୁପ୍ରିୟା ଜେନା ସଭା ପରିଚାଳନା, ଶାଶ୍ୱତୀ ପ୍ରିୟଦର୍ଶିନୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କେଜିଆଇର ସମସ୍ତ ଛାତ୍ରଛାତ୍ରୀ, କାର୍ଯ୍ୟକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।