ଚାରଣ ଭୂମି ଅଭାବ : ରାସ୍ତାରେ ଗୃହ ପାଳିତ ପଶୁ

 ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳ ଚାରିପାଖରେ ଓ ଦାନଗଦୀ ତହସିଲ ଅଧୀନରେ ଥିବା ଶହଶହ ଏକର ସରକାରୀ ଅନାବାଦୀ, ଜଙ୍ଗଲ କିସମ ଓ ଚାରଣ ଭୂମି ଏବେ ଜବରଦଖଲକାରୀଙ୍କର କବଜାରେ । ଶିଳ୍ପ ପ୍ରତିଷ୍ଠା ହେବାର ତିନି ଦଶନ୍ଧି ହେଲାଣି ଆଉ କେଉଁଠି ଗୁଣ୍ଠେ ଜମି ଛାଡୁ ନାହାନ୍ତି ଜମି ଦଲାଲଙ୍କ ମାଧ୍ୟମରେ ଜବର ଦଖଲ କାରୀ । କାରଖାନା ପ୍ରତିଷ୍ଠା ହେବା ପରେ ଦାନଗଦୀ ତହସିଲ ଅଧୀନରେ ଥିବା ସବୁ କିସମର ସରକାରୀ ଜମିରେ ହଜାର ହଜାର କୋଠା ଘର ଗଢି ଉଠିଛି । ଏପରିକି ଜଙ୍ଗଲ ଜମି, ଗୋଚର, ନାଳ, ନର୍ଦମା, ଶ୍ମଶାନ କିଛି ବାଦ ପଡୁନାହିଁ ଜବର ଦଖଲ କାରୀଙ୍କ ଦୃଷ୍ଟିରୁ । ଏକାଧିକ କାରଖାନା ଗଢି ଉଠିବାରୁ ସବୁଜ ଜଙ୍ଗଲ, ଗୋଚର ଜମି ଦିନକୁ ଦିନ ଲୋପ ପାଇ ସେ ସବୁ ସ୍ଥାନରେ ଘର ଗଢି ଉଠିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଲୋକ ଆସି ସ୍ଥାନୀୟ ଜମି ଦଲାଲଙ୍କ ମାଧ୍ୟମରେ ଏସବୁ ସରକାରୀ ଜମିକୁ ଲକ୍ଷଧିକ ଟଙ୍କାରେ କିଣି ରାତାରାତି ଘର ଠିଆ କରିଦେଉଛନ୍ତି । ସେଥିରେ ବିଭିନ୍ନ ଅସାମାଜିକ ଲୋକ, ରୋହିଜ୍ଞା, ଚୋରା କାରବାର କରୁଥିବା ଲୋକଙ୍କ ସଂଖ୍ୟା ଅଧିକ, ବେଶୀ ସରକାରୀ ଜଙ୍ଗଲ ଜମି ଓ ଇଡ଼କୋର ହଜାର ହଜାର ଏକର ମାଡିବସି  ବସ୍ତି ଓ ହାଟିଙ୍ଗ କରିଦେଲେଣି । ଏପରି ନିର୍ଭୟରେ ଜମି ଜବର ଦଖଲ କରି ଅନେକ ବ୍ୟକ୍ତି ବ୍ୟବସାୟ ଉଦେଶ୍ୟରେ ଏକ ବିରାଟ ବିରାଟ କଲୋନୀ କରି ଘର ଭଡା ସୂତ୍ରରେ ମାସକୁ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି । ସେଥିପାଇଁ ସ୍ଥାନୀୟ ଗୁଣ୍ଡା ଓ ପ୍ରଶାସନଙ୍କୁ ହାତଗୁଞ୍ଜା ଦେଇ ହାତରେ ରଖି ନିଜର ବେପାର ବୃଦ୍ଧି କରିବାରେ ଲାଗିଛନ୍ତି ।  ସ୍ଥାନୀୟ ଅଞ୍ଚଳର ଚାଷୀ କୁହନ୍ତି କାରଖାନା ହେଲା ପରେ ଗୋରୁ, ଗାଈ, ଛେଳି, ମେଣ୍ଢା ଚରିବା ପାଇଁ ଯେଉଁ ସବୁ ଚାରଣ ଭୂଇଁ କି ଜଙ୍ଗଲ ଜମି ଥିଲା ତାହା ସରିଗଲାଣି । ରାତାରାତି ଘର ନିର୍ମାଣ ଯୁଦ୍ଧ କାଳୀନ ଭିତିରେ ଦୈନିକ ନୂଆ ନୂଆ ଘର ନିର୍ମାଣ ଚାଲିଛି । ଆଉ ପଶୁ ସମ୍ପଦ ବିପଦରେ ଅଛନ୍ତି । ଗୋ ସମ୍ପଦ ଖାଦ୍ୟର ଅଭାବ ଦେଖା ଦେଉଛି । ବେଳ ଥାଉଁ ଏସବୁ ଭୂମିକୁ ଜବର ଦଖଲ ମୁକ୍ତ ସହ ଗୋଚର ଓ ଜଙ୍ଗଲ ଜମି ବଂଚାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ବୁଦ୍ଧିଜୀବୀ ମତ ପ୍ରକାଶ କରନ୍ତି ।