ଶାନ୍ତିପୂର୍ଣ୍ଣ ଭାବେ ମାଆଙ୍କ ଭସାଣି ଓ ରାବଣ ପୋଡି ଉତ୍ସବ ସମ୍ପନ୍ନ

ାା ପ୍ରଭାନୁ୍ୟଜ ।ା :  ଯାଜପୁର ସଦର ଅଞ୍ଚଳରେ ଦୁର୍ଗା ପୂଜା ଭସାଣି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଅଛି । ସଦର ଅଞ୍ଚଳରେ ୧୨ ଗୋଟି ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥିଲା ବେଳେ ମହେଶ୍ୱରପୁର ପଞ୍ଚାୟତର ୪ ଗୋଟି ମେଢ଼ର ଭସାଣି ସ୍ଥାନୀୟ ଦଶହରା ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ସେହିପରି ଭାବରେ ନାଥ ସାହିରେ ୨, ଭୁବନେଶ୍ୱର ପୁରରେ ୧, ଭୂଇଁ ପୁରରେ ୧, ସିମିଳିଆରେ ୧, ଯାହାନ ପୁରରେ ୧, ଛତିଶ ଦେବିଲ ପଞ୍ଚାୟତର ହାସିନିପୁର ବେହେରା ସାହିରେ ୧, ଏରବାଙ୍କ ବେହେରା ସାହିରେ ୧ ଗୋଟି ମେଢ଼ ମଣ୍ଡପରେ ପୂଜା ପାଇଥିଲେ । ମହେଶ୍ୱରପୁର ପଞ୍ଚାୟତର ୩ ଗୋଟି ମଣ୍ଡପରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ମା ଦୁର୍ଗାଙ୍କ ପୂଜା ପାଠ କରାଯାଇଥାଏ । ଏହା ବ୍ୟତୀତ ୪ ଗୋଟି ପୀଠରେ ରୀତିନୀତି ଅନୁଯାୟୀ ପୂଜା କରାଯାଏ । ତାଛଡା ବିଭିନ୍ନ ପୀଠ ଦେବୀ ମାନଙ୍କ ମନ୍ଦିରରେ ଯଥା କବିରପୁର ରକ୍ଷାକାଳୀ, ପୁରୁଷୋତମପୁର ଭୁବନେଶ୍ୱରୀ, ବରୁଆଁର ତାରାଦେବି, ଭୂଇଁପୁରର କାଳୀ ମନ୍ଦିରରେ ପ୍ରବଳ ଜନସମାଗମ ଦେଖାଯାଇଥିଲା ।

ଦଶହରା ଦିନ ସନ୍ଧ୍ୟାରେ କବିରପୁର ଦଶହରା ପଡ଼ିଆରେ ବିଭିନ୍ନ ଗ୍ରାମରୁ ଦଶହରା ବଳଦ ବେଶ୍ ସାଜ ସଜା ହୋଇ ରୋଷଣୀ କରି ନିଜ ନିଜର ଗ୍ରାମ ପରିକ୍ରମା କରି ଦୁର୍ଗା ମଣ୍ଡପକୁ ବିଜେ ହୋଇ ସେଠାରେ ଭୋଗ ଲାଗି ହୋଇ ଦଶହରା ପଡ଼ିଆରେ ବଳଦ ନାଚ କରାଯାଏ । ଏହାପରେ ସମାଜର ପ୍ରତ୍ୟେକ ସମ୍ପ୍ରଦାୟର ବ୍ୟକ୍ତି ନିଜର କୌଳିକ ବୃତି ଅନୁସାରେ ପୂଜାରେ ବସିଥିବା ନିଜର ବୃତିରେ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଏହି ପଢିଆରେ ରଖି ପୂଜା ପାଠ କରାଯାଏ । ବିଶ୍ୱାସ ରହିଛି ଯେ ଏହି ପଡିଆ ମାଡ଼ିଲେ ଗ୍ରହ ରିଷ୍ଟ ଖଣ୍ଡନ ହେବା ସହ ବ୍ୟବସାୟ ଓ ନିଜର କୌଳିକ ବୃତିରେ ଉନ୍ନତି ପରିଲକ୍ଷିତ ହୁଏ । ପଢ଼ିଆରେ ମହେଶ୍ୱରପୁର ପଞ୍ଚାୟତର ପୂଜା ପାଉଥିବା ୩ ଗୋଟି ଦୁର୍ଗା ମେଢ଼ ଓ ଗୋଟିଏ ହର ପାର୍ବତୀ ମେଢ଼ ନିଜ ନିଜର ମେଢ଼ ସହ ବାଣ, ବାଜା, କୀର୍ତ୍ତନ କରି ଦଶହରା ପଡ଼ିଆକୁ ବିଜେ ହୋଇ ଏକ ମିଳନ ପର୍ବ ପାଳନ କରାଯାଏ । ଅପର ପାର୍ଶ୍ୱରେ ଭସାଣି ସମୟରେ ଏକ ରାବଣ ଓ ଏକ ରାକ୍ଷସ ପୋଡ଼ି ଉତ୍ସବକୁ ମଧ୍ୟ ପାଳନ କରାଯାଏ । ଏହି ଭସାଣି ଉତ୍ସବରେ ଆଖ ପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଏକତ୍ରିତ ହୋଇଥିଲେ । ଶାନ୍ତି ଶୃଙ୍ଖଳାର ରକ୍ଷା ନିମନ୍ତେ ସଦର ଥାନା ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।