ସଙ୍ଗୀତାଙ୍କ କ୍ଷେତ୍ରରେ ବଡ଼ ବ୍ୟତିକ୍ରମ : ସାଙ୍ଗରେ ନାହାନ୍ତି ଜଣେ ବି ବିଜେଡ଼ି ପାରିଷଦ
ବ୍ୟାସନଗର : ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ ଦଳୀୟ ପାରିଷଦ ଅନାସ୍ଥା ଆଣିବା ପରେ ପୈାର ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି । ଅନାସ୍ଥାର ସ୍ଥିତି କ’ଣ ହେବ ତାହା ଉପରେ ଯେତିକି ଆଲୋଚନା-ପର୍ଯ୍ୟାଲୋଚନା ହେଉନି, କ୍ଷମତାରେ ବସିବାର ୩ବର୍ଷ ମଧ୍ୟରେ ଅଧ୍ୟକ୍ଷା ସଙ୍ଗୀତା ନିଜ ଦଳର ପାରିଷଦଙ୍କ ମଧ୍ୟରୁ ଜଣକୁ ବି ସାଙ୍ଗରେ ରଖିବାକୁ ସକ୍ଷମ ହୋଇପାରିନଥିବା କଥା ବିଶେଷ ଆଲୋଚନା ହେଉଛି । ପୌରବାସୀଙ୍କ ପାଇଁ ଅଜଣା-ଅପରିଚିତ ଥିବା ସଙ୍ଗୀତା ୨୦୨୨ରେ କ୍ଷମତାଶୀନ ଦଳ ବିଜେଡ଼ିରୁ ପ୍ରାର୍ଥି ହୋଇ ବିପୁଳ ବିଜୟ ହାସଲ କଲୋ ଚତୁର୍ଥ ମହିଳା ଭାବେ ଦ୍ୱାଦଶ ଅଧ୍ୟକ୍ଷା ଭାବେ ଗାଦିଶୀନ ହେବାରେ ସଙ୍ଗୀତାଙ୍କୁ ଶଂଖ ଚିହ୍ନ ହିଁଁ ଭରସା ହୋଇଥିଲା । ବ୍ୟାସନଗର ପୈାର ରାଜନୀତିର ଇତିହାସ ପୃଷ୍ଟାକୁ ଲେଉଟାଇଲେ ପୌରବାସୀ ବ୍ୟକ୍ତିତ୍ୱକୁ ପସନ୍ଦ କରି ଆସିଥିବା ବେଳେ ସଙ୍ଗୀତାଙ୍କ କ୍ଷେତ୍ରରେ ଥିଲା କିନ୍ତୁ ବ୍ୟତିକ୍ରମ । ପୈାର ନିର୍ବାଚନରେ ନଗରବାସୀଙ୍କ ଆଗରେ ୩ ନୁଆ ମୁହଁ ଉଭା ହୋଇଥିବା ତନ୍ମମଧ୍ୟରୁ ସଙ୍ଗୀତା ହୋଇଥିଲେ ପ୍ରଥମ ପସନ୍ଦ । ୨୬ ୱାର୍ଡ଼ରୁ ୧୫ ୱାର୍ଡ଼ରେ ବିଜେଡ଼ି ପାରିଷଦ ବାଜିମାତ କରିଥିଲେ । ଯାହା କୌଣସି ବି ସମୟରେ ଅନାସ୍ଥାର ଭୟ ସଙ୍ଗୀତାଙ୍କ କ୍ଷେତ୍ରରେ ଉପନିତ ହେବାର ଆଶଙ୍କା ନଥିଲା । ହେଲେ ପୈାରାଧ୍ୟକ୍ଷା ସଙ୍ଗୀତାଙ୍କ କ୍ଷେତ୍ରରେ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଲା । ବିଜେଡ଼ି ପାରିଷଦ ହିଁ ଆଣିଲେ ସଙ୍ଗୀତାଙ୍କ ବିରୁଦ୍ଧରେ ଅନାସ୍ଥା । ଆଶ୍ଚର୍ଯ୍ୟର କଥା ହେଉଛି, ବିଜେଡ଼ିର୧୫ ପାରିଷଦ ହୁଅନ୍ତୁ କି ସହଯୋଗୀ ପାରିଷଦ ଗୋଟିଏ ପଟରେ ରହିଥିବା ବେଳେ ଅଧ୍ୟକ୍ଷା ଗୋଟିଏ ପଟରେ ରହିଛନ୍ତି । ୩ବର୍ଷ ଧରି କ୍ଷମତାରେ ବସିଥିବା ସଙ୍ଗୀତାଙ୍କ ସାଙ୍ଗରେ ଜଣେ ବି ଦଳୀୟ ପାରିଷଦ ନରହିବା ଘଟଣା ପୈାରବାସୀଙ୍କ ମନରେ କାହିଁକିର ପ୍ରଶ୍ନ ସୃଷ୍ଟି କରିଛି । ଏହି କାହିଁକିର ଉତ୍ତର ମିଳିବା ସହଜ ହୋଇନଥିଲେ ବି ଅନାସ୍ଥାକୁ ନେଇ ଯେଉଁ ଟିପାଟିପ୍ପଣି ଚାଲିଛି । ଯେଉଁଥିରେ ଗୋଟିଏ କଥା ଉଠୁଛି, ଅଧ୍ୟକ୍ଷା ଠିକ୍ ନାଁ ପାରିଷଦ । ଯଦି ପାରିଷଦଙ୍କ ଅଭିଯୋଗ ଏବଂ କିଛି ଘଟଣାକ୍ରମକୁ ଆଲୋଚନାକୁ ଅଣାଯାଏ, ତେବେ ସଙ୍ଗୀତା ବିଜୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ ବି ବିଜେଡ଼ିର ବିଭିନ୍ନ କାର୍ଯ୍ୟକ୍ରମକୁ ଏଡ଼ାଇ ଯାଇଥିଲେ । ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କ୍ଷେତ୍ରରେ ଯେତିକି ଭୁମିକା ଲିଭାଇବା କଥା ତାହା ଦେଖିବାକୁ ମିଳିନଥିଲା । ପାରିଷଦ ବିକାଶରେ ବାଧକ କଥା କହୁଥିଲେ ହେଁ ପ୍ରକୃତ ପକ୍ଷେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ନହେବା, କାଉନସିଲ ବୈଠକରେ ପାରିତ ପ୍ରସ୍ତାବକୁ ଭ୍ରୁକ୍ଷେପ କରିବାଟାକୁ ହଜମ କରିପାରିନଥିଲେ । ବିଜେଡ଼ି ପ୍ରତିଷ୍ଠା ଦିବସ କଥା ଛାଡ଼ ବିଜୁ ବାବୁଙ୍କ ଜୟନ୍ତୀରେ ଯୋଗ ଦେଇଥିବା ପୈାରାଧ୍ୟକ୍ଷା ସଙ୍ଗୀତା ପରଦିନ ଦଳର ନିଷ୍ପତି କ୍ରମେ ଏଡ଼ିଏମ ଅଫିସ ଆଗରେ ହୋଇଥିବା ପ୍ରତିବାଦ ସଭାରେ ନିଜକୁ ସାମିଲ କରିନଥିଲେ । ଯେତେ ବେଳେ ଦଳୀୟ ନିଦେ୍ର୍ଦଶରେ ରାଜ୍ୟବ୍ୟାପୀ ପ୍ରତିବାଦ ସଭା କରାଗଲା, ସେତେ ବେଳେ ବ୍ୟାସନଗରରେ ପାରିଷଦ, କାର୍ଯ୍ୟକର୍ତା ସାମିଲ ହେଲେ । ବ୍ୟାସନଗରରେ ଦଳୀୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଯୋଗ ନଦେଇ ପରୋକ୍ଷରେ ସେ ଦଳର ଆଦେଶକୁ ଏଡ଼େଇ ଗଲେନି କି? । ଏହିଭଳି କିଛି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ଅଧ୍ୟକ୍ଷା ସଙ୍ଗୀତାଙ୍କୁ ଦଳୀୟ ପାରିଷଦ ବିଶ୍ୱାସକୁ ନେଇନଥିଲେ । ଦଳୀୟ ପାରିଷଦ-ଅଧ୍ୟକ୍ଷାଙ୍କ ମଧ୍ୟରେ ଚାଲି ଆସିଥିବା ତୁ ତୁ ମେଁ ମେଁର ପୂର୍ଣ୍ଣଛେଦ ପକାଇବାକୁ ଯେ ଚେଷ୍ଟା କରାଯାଇନଥିଲା ତା ନୁହେଁ, କିନ୍ତୁ ତାହା ଫଳପ୍ରଦ ନହେବାରୁ ଅନାସ୍ଥା ହିଁ ପାରିଷଦଙ୍କ ଶେଷ ବିକଳ୍ପ ଥିଲା ବୋଲି କୁହାଯାଉଛି । ଅନାସ୍ଥାରେ କିଏ ଆସ୍ଥା ହରାଉଛି ତାହା ତ କହିବ, ହେଲେ ଗୋଟିଏ କଥା କୁହାଯାଇପାରେ କି ବିଜେଡ଼ି କଳି ମଞ୍ଜି ଯିଏ ବି ପୋତିଛି, ସାର-ପାଣି ଦେବାରେ ଟିକେ ବି ଅବହେଳା କରିନି, ଏକଥା ନଗରଯାକରେ ଆେଲୋଚନା ହେଉଛି ।