ସ୍ଥାନାନ୍ତରକୁ ବିରୋଧ


ଦାନଗଦୀ: ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚାଲିଛି । କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରାଳୟ ଅଧିନରେ ରହିଥିବା ଏହି ସଂସ୍ଥା ପାଇଁ ପୂର୍ବ ସରକାର ଶିଳ୍ପାଞ୍ଚଳରେ ଜମି ଯୋଗାଇ ଦେଇଥିବା ବେଳେ ଦକ୍ଷତା ପ୍ରଶିକ୍ଷଣ ପାଇଁ ଭିତ୍ତିଭୂମି ବିକାଶ କରା ନଯାଇ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଉଦ୍ୟମ ଚାଲିଥିବାରୁ କଳିଙ୍ଗନଗର ଅଧିବାସୀ ବିରୋଧ କରିଛନ୍ତି । ଅଧୁନା ଜେସିଡିଏଲ୍ ପରିସରରେ ଅବସ୍ଥାପିତ ଏହି ସଂସ୍ଥା ବନ୍ଦକୁ ବିରୋଧ କରି ପଙ୍କପାଳ ସରପଞ୍ଚ ସ୍ମୃତିରଞ୍ଜନ ଜେନାଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ସଂସ୍ଥାର କାର୍ଯ୍ୟାଳୟ ବାହାରେ ଶନିବାର ବିରୋଧ ପ୍ରଦର୍ଶନ କରିଛନ୍ତି । ବିଶ୍ୱସ୍ତରୀୟ ଏକ ଶିଳ୍ପାଞ୍ଚଳରେ ଅଦ୍ୟାବଧି କୌଣସି ଗୋଟିଏ ବି ବୈଷୟିକ ସ୍କୁଲ କଲେଜ ଖୋଲି ନଥିବା ବେଳେ ଦକ୍ଷତା ବିକାଶ ପାଇଁ ସ୍ଥାପିତ ସରକାରୀ ସଂସ୍ଥାକୁ ବନ୍ଦ କରିବା ହୀନ ମାନସିକତା ବୋଲି ସେମାନେ କହିଛନ୍ତି । ସରକାର ଏଥିରୁ ନିବୃତ୍ତ ନରହିଲେ ଆଗାମୀ ଦିନରେ ବୃହତ ଆନେ୍ଦାଳନ ହେବ ବୋଲି ସରପଞ୍ଚ ଶ୍ରୀ ଜେନା ଚେତାବନୀ ଦେଇଛନ୍ତି ।