ସ୍ମାର୍ଟ ମିଟରକୁ ବିରୋଧ କରି ଗର୍ଜିଲା ଆପ୍
ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଦଳର ପୁରୀ ବିଧାୟକ ପ୍ରାର୍ଥୀ ସତ୍ୟଜିତ ମହାନ୍ତି ଯୋଗ ଦେଇ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ସ୍ମୃତିଚାରଣ କରିଥିଲେ । ବାଜିଚୌକ ଛକ ଠାରେ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଏକତ୍ରିତ ହୋଇ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ମିଷ୍ଟାନ ବଣ୍ଟନ କରି ସ୍ଥାପନା ଦିବସ ପାଳନ କରିଥିଲେ । ପରେ ଟାଟା ପାୱାରର ପ୍ରସ୍ତାବିତ ସ୍ମାର୍ଟ ମିଟର ଓ ବିଜୁଳି ଶୋଷଣ ନୀତି ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇ ବାଜିଚୌକ ଛକ ଠାରୁ ଏକ ପଟୁଆରରେ ବାହାରି ମୁଖ୍ୟ ବଜାରର ଲିଫଲେଟ ବଣ୍ଟନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୫ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସେଠାରେ ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା ଓ ଜିତେନ୍ଦ୍ର ବେହେରା, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା, ପରଜଙ୍ଗ ବ୍ଲକ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ସରୋଜ ଧଳ, କାମାକ୍ଷାନଗର ବ୍ଲକର ସୁବୋଧ ବେହେରା, କାର୍ତ୍ତିକ ସାମଲ, କଙ୍କଡ଼ାହାଡ଼ର ଅରୁଣ ଦାସ, ଭୁବନ ବ୍ଲକର ଗୌରାଙ୍ଗ ସାମଲ, ସଦର ବ୍ଲକର ଅନିଲ ସାମଲ ଓ ରାଜକୁମାର ପ୍ରଧାନ, ପୌରାଞ୍ଚଳର ଦେବାଶିଷ ନନ୍ଦ, ହିନ୍ଦୋଳ ବ୍ଲକର ରୁନୁବାଳା ଚିନାରା ଓ ଦୀନବନ୍ଧୁ ସାହୁ, ଓଡାପଡା ବ୍ଲକର ସନାତନ ନାଏକ ପ୍ରମୁଖଙ୍କ ପରିଚାଳନାରେ ଦଳୀୟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ଟାଟା ପାୱାରର ସ୍ମାର୍ଟ ମିଟର ବିରୁଦ୍ଧରେ ବିଭିନ୍ନ ନାରାବାଜି କରିଥିଲେ । ଗତ ନିର୍ବାଚନ ସମୟରେ ଖୋଲା ମଞ୍ଚରେ ୩୦୦ ୟୁନିଟ ବିଜୁଳି ଦେୟମୁକ୍ତ ଯୋଗାଇ ଦେବା ପ୍ରତିଶ୍ରୁତି ଦେଇ ବର୍ତ୍ତମାନ ଏଥିରୁ ଓହରି ଯାଇଛି ରାଜ୍ୟ ବିଜେପି ସରକାର । ବିଜୁଳି ମାଗଣା ଦେବା ଦୂର କଥା ଏବେ ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟର ନାଁରେ ଅତିରିକ୍ତ ସାତ ହଜାର ଟଙ୍କା ବୋଝ ଲଦି ଦେବାକୁ ମସୁଧା ଚଳାଇଛି । ପୂର୍ବରୁ ମିଟର ବାବଦକୁ ବିଦୁ୍ୟତ୍ କମ୍ପାନୀ ପ୍ରତ୍ୟେକ ଉପଭୋକ୍ତାଙ୍କ ଠାରୁ ସିକୁ୍ୟରିଟି ଟଙ୍କା ନେଇ ସାରିଥିବା ବେଳେ ପୁଣି ନୂଆ ସ୍ମାର୍ଟ ମିଟର ପାଇଁ ଆଉ ଥରେ ୭,୦୦୦ ଟଙ୍କା ଆଦାୟ କରିବା ଉପଭୋକ୍ତାଙ୍କୁ ଶୋଷଣ କରୁଛି । ପରିବର୍ତ୍ତନ ନାଁରେ ଓଡ଼ିଶାବାସୀଙ୍କ ସହ ଏକ ଛଳନା କରାଯାଉଛି । ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଓଡ଼ିଶାରୁ ବିଜୁଳି କିଣି ଦିଲ୍ଲୀବାସୀଙ୍କୁ ଯଦି ମାଗଣା ବିଜୁଳି ଯୋଗାଇ ପାରୁଛି, ଓଡ଼ିଶାରେ କାହିଁକି ତାହା ସମ୍ଭବ ନୁହେଁ? ପୂର୍ବରୁ ବିଜେଡି ସରକାର ଓଡ଼ିଶାର ବିଜୁଳି ବିଭାଗକୁ ୨୫ ବର୍ଷ ପାଇଁ ଟାଟା କମ୍ପାନୀକୁ ବିକ୍ରି କରିଦେଇଥିବା ବେଳେ ବର୍ତ୍ତମାନ ବିଜେପି ସରକାର ଓଡ଼ିଶାବାସୀଙ୍କୁ ପ୍ରତାରଣା କରୁଛି । ତେଣୁ ଏହି ଦାବି ଗୁଡିକ ଯଦି ପୂରଣ କରାନଯାଏ ତେବେ ଆମ୍ ଆଦମୀ ପାର୍ଟି ଏହି ଆନେ୍ଦାଳନ ଆହୁରି ତୀବ୍ରତର କରି ଏହାକୁ ଜାରି ରଖିବ ବୋଲି ସେମାନେ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ପିତାମ୍ବର ସାମନ୍ତରାୟ, ଜୟନ୍ତ ଦାସ, ପ୍ରସନ୍ନ ବରାଳ, ଶକ୍ତିରଞ୍ଜନ ମହାପାତ୍ର, ନାରୀନେତ୍ରୀ ରଚିତା ନାଏକ, ରୋହିତ ବେହେରା, ଅମର ପାତ୍ର, ସୁଭାଶିଷ ନାୟକ, ଲକ୍ଷ୍ମଣ ଦାସ,ବିନୟ ସାହୁ, ମଳୟ ମହାରଣା, ବଳରାମ ଖିଲାରଙ୍କ ସହିତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।