ସ୍ୱାୟତ୍ତ ଶାସନ ସଂସ୍ଥା ସହ ସଚିବଙ୍କ ସମୀକ୍ଷା
ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କନ୍ଫରେନ୍ସ ହଲ୍ରେ ରାଜ୍ୟର ସମସ୍ତ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହ ବିକଶିତ ଓଡ଼ିଶା ଗଠନ ନେଇ ସହରାଞ୍ଚଳଗୁଡିକର ସ୍ଥାୟୀ ଏବଂ ସମ୍ମିଳିତ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି ।
ସହରାଞ୍ଚଳରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜନସେବାକୁ ଅଧିକ ପ୍ରଭାବୀ ଏବଂ ତ୍ୱରିତ କରିବା ପାଇଁ ଆବଶ୍ୟକ ସଂସ୍କାର ଆଣିବାକୁ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦, ଅଟଳ ମିଶନ, ରିଜୁଭନେସନ୍ ଆଣ୍ଡ ଅର୍ବାନ ଟ୍ରାନ୍ସଫରମେସନ୍ ଭଳି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମହାତ୍ତ୍ୱାକାଂକ୍ଷୀ ଯୋଜନାଗୁଡିକର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ସେହିପରି ପାଣିପାଗ ପରିବର୍ତ୍ତନ ଯୋଗୁଁ ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ ନେଇ ଆଗୁଆ ପ୍ରସ୍ତୁତ ରହିବାକୁ ସଚିବ ପରାମର୍ଶ ଦେଇଥିଲେ । ବୈଠକରେ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଏବଂ ସ୍ୱାୟତ୍ତ ଶାସନ ସଂସ୍ଥା ମୁଖ୍ୟମାନେ ଉପସ୍ଥିତ ଥିଲେ ।