ଋଷି ପଞ୍ଚମୀ ବ୍ରତ ଓ ଦାହ ଲୀଳା ସଂପନ୍ନ

 ପୁରୀ : ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମନ୍ଦରରେ ଋଷି ପଞ୍ଚମୀ ବ୍ରତ ପାଳିତ ହୋଇଯାଇଛି । ମହାଲକ୍ଷ୍ମୀ ଏହି ବ୍ରତ ପାଳନ କରିଥାନ୍ତି । ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ପରେ ମହାଲକ୍ଷ୍ମୀ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତପାହାଚ ଠାରେ ରଖାଯାଇଥିବା ପାଲିଙ୍କିରେ ବିଜେ କରିଥିଲେ । ଶ୍ରୀମନ୍ଦିରରୁ ବିମାନ ଯୋଗେ ମାର୍କଣ୍ଡେଶ୍ୱର ବାହାରି ମାର୍କଣ୍ଡେୟ ସରୋବର ନିକଟସ୍ଥ ମାର୍କଣ୍ଡେଶ୍ୱର ମନ୍ଦିରକୁ ଯାଇଥିଲେ । ପଛେ ପଛେ ମହାଲକ୍ଷ୍ମୀଙ୍କୁ ପାଲିଙ୍କି ଯୋଗେ ମାର୍କଣ୍ଡେୟ ମନ୍ଦିରକୁ ବିଜେ କରାଯାଇଥିଲା । ମହାଜନ ସେବକମାନେ ମହାଲକ୍ଷ୍ମୀଙ୍କୁ ହାତରେ ବିଜେ କରାଇନେଇ ମାର୍କଣ୍ଡେଶ୍ୱରଙ୍କ ଗମ୍ଭୀରାରେ ସଂସ୍ଥାପିତ କରିଥିଲେ । ସେଠାରେ ମାଜଣା ଓ ବନକଲାଗି କରାଯାଇଥିଲା । ପୂଜାପଣ୍ଡା ସେବକ ମହାଲକ୍ଷ୍ମୀଙ୍କ ଛାମୁରେ ଋଷି ପଞ୍ଚମୀ ବ୍ରତ କଥା ବ୍ୟାଖ୍ୟାନ କରିଥିଲେ । ଶୀତଳ ଭୋଗ ଓ ବନ୍ଦାପନା ପରେ ମହାଲକ୍ଷ୍ମୀ ବାହୁଡ଼ା ବିଜେ ହୋଇ ସିଂହାସନରେ ବିଜେ କରିଥିଲେ । ଯେଉଁ ସ୍ତ୍ରୀ ଲୋକମାନେ ରଜସ୍ୱଳା ହୋଇଥିବା ସମୟରେ ଅଜ୍ଞାତରେ କିଛି ଭୁଲ୍ ଭଟକା କରିଥାନ୍ତି ସେମାନେ ସେହି ଦୋଷରୁ ମୁକ୍ତି ପାଇବା ପାଇଁ ସପ୍ତଋଷିଙ୍କୁ ଆରାଧନା କରିବାର ପରମ୍ପରା ରହିଛି । ଏହି ପରମ୍ପରା ଅନୁଯାୟୀ ଋଷିପଞ୍ଚମୀ ଦିନ ମହାଲକ୍ଷ୍ମୀ ମାର୍କଣ୍ଡେୟ ମନ୍ଦିରକୁ ଯାଇଥାନ୍ତି । ସେଠାରେ ଥିବା ସପ୍ତଋଷିଙ୍କ ଉଦେ୍ଦ୍ୟଶରେ କ୍ଷୀର, କଦଳୀ, ଗୋଲମରିଚ ଆଦି ଭୋଗ କରାଯାଇଥାଏ । ଏହି ଋଷିମାନେ ହେଲେ ଅଙ୍ଗିରା, ଗୌତମ, ଭରଦ୍ୱାଜ, ଜମଦଗ୍ନୀ ପ୍ରମୁଖ । ମାର୍କଣ୍ଡେୟ ମନ୍ଦିରରେ ବନ୍ଦାପନା କରାଯାଇ ମହାଲକ୍ଷ୍ମୀ ମାର୍କଣ୍ଡେୟଙ୍କୁ ଦର୍ଶନ କରିଥାନ୍ତି ବୋଲି ଗବେଷକ ଡ଼. ନରେଶଚନ୍ଦ୍ର ଦାଶ  ପ୍ରକାଶ କରିଛନ୍ତି । ଭାଦ୍ରବ ଶୁକ୍ଳ ପଞ୍ଚମୀରେ ପରମ୍ପରା ଅନୁଯାୟୀ ଦାହ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାଧୂପ ଶେଷ ହେବା ପରେ ମଦନମୋହନ ଦକ୍ଷିଣ ଘରୁ ବିଜେ ହୋଇ ଆଜ୍ଞାମାଳ ପାଇ ନାଟମଣ୍ଡପ ଖଟ ଉପରେ ବିଜେ ହୋଇଥିଲେ । ମଦନମୋହନଙ୍କ ଛାମୁରେ ଗୌଡ଼ବାଡ଼ସାହି ପକ୍ଷରୁ ଦାହଲୀଳା ବା ଦାହ ପ୍ରସ୍ତାବ କରାଯାଇଥିଲା । ଶୀତଳ ଭୋଗ ବନ୍ଦାପନା ପରେ ମଦନମୋହନ ବାହୁଡ଼ା ବିଜେ କରିଥିଲେ ।