ନିଜ କାମକୁ ବହି ମାଧ୍ୟମରେ ଲୋକଙ୍କ ପାଖରେ ପହଁଞ୍ଚାଇଲେ ଅପରାଜିତା

 ଭୁବନେଶ୍ୱର  :  ସଂସଦୀୟ କ୍ଷେତ୍ରର ବିକାଶ ମୂଳକ କାର୍ଯ୍ୟକୁ ବହି ମାଧ୍ୟମରେ ପ୍ରକାଶ କଲେ ସାଂସଦ ଅପରାଜିତା ।  ଭୁବନେଶ୍ୱରକୁ ପୂର୍ବ ଭାରତର ଏକ ନମ୍ୱର ସହର ରୂପେ ଗଢ଼ି ତୋଳିବାର ଲକ୍ଷ୍ୟ ରଖିଥିବା କହିଲେ ସାଂସଦ । କେବଳ କଥାରେ ନୁହେଁ, ଦେଇଥିବା କଥାକୁ କାମରେ ପରିଣତ କରି ଦେଖାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।  ଭୁବନେଶ୍ୱର  ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜିବୀଙ୍କୁ ନେଇ ଆୟୋଜିତ ଏକ ବୈଠକରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିକାଶ କାର୍ଯ୍ୟ ନାମକ ଏକ ବୁକଲେଟ୍ ବାଣ୍ଟିଛନ୍ତି ଅପରାଜିତା । ଯେଉଁଥିରେ ଗତ ୬ ମାସ ମଧ୍ୟରେ ସାଂସଦ ହିସାବରେ ଲୋକଙ୍କ ଲାଗି କଣ କଣ ବିକାଶ ମୂଳକ ପଦକ୍ଷେପ ନେଇଛନ୍ତି ତାର ଏକ ଲମ୍ୱା ତାଲିକା ପ୍ରଦାନ କରିଛନ୍ତି । ୧୮ ପେଜ୍ ବିଶିଷ୍ଟ ଏହି ବୁକଲେଟରେ ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଜୟଦେବ, ଖୋର୍ଦ୍ଧା, ଜଟଣୀ, ବେଗୁନିଆ ନିର୍ବାଚନ ମଣ୍ଡଳୀୱାରି ଜାରି ରହିଥିବା ବିକାଶ ମୂଳକ କାର୍ଯ୍ୟର ତଥ୍ୟ ରଖାଯାଇଛି ।    ସହିଦ ନଗରଠାରେ ସ୍ଥାୟୀ ହାଟଠୁ ଆରମ୍ଭ କରି ସତସଙ୍ଗ ବିହାର ନିକଟରେ ଫୁଟ୍ ଓଭରବ୍ରିଜ୍, ନୟାପଲ୍ଲୀ କମୁ୍ୟନିଟି ପାର୍କ ନିର୍ମାଣ ଲାଗି ଜମି ପ୍ରଦାନ, ଅତ୍ୟାଧିୁନିକ ଫିସ୍ ମାର୍କେଟ୍ ଓ ମଣ୍ଡି ଲାଗି ଜମି ପ୍ରଦାନ ସହ କାର୍ଯ୍ୟ ଆରମ୍ଭ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସଂସ୍କୃତି ହଲ୍ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ, ଖୋର୍ଦ୍ଧା ଟାଉନ ବାଇପାସ୍, ଜଟଣୀରେ କ୍ୟାନ୍ସର ହସପିଟାଲ ସ୍ଥାପନ ଭଳି ଉନ୍ନତି ମୂଳକ ପଦକ୍ଷେପମାନଙ୍କର ସବିଶେଷ ତଥ୍ୟ ରହିଛି   । ସେହିଭଳି ବାଲିଅନ୍ତା ଯଶୁଆପୁରରେ ହେଲ୍ଥ-ସବ୍-ସେଣ୍ଟର ଉଦଘାଟନ ହେଉ କି ବାଲିଅନ୍ତା ବ୍ଲକର ଜଗନ୍ନାଥପୁର ପଞ୍ଚାୟତରେ ୨୫୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ସିଲେଇ ଶିଳ୍ପ ସମ୍ପର୍କରେ ମଧ୍ୟ ତଥ୍ୟ ରଖିଛନ୍ତି ଅପରାଜିତା    ।  ସେହିଭଳି ବ୍ରହ୍ମେଶ୍ୱର ମନ୍ଦିର, କପିଳେଶ୍ୱର ମନ୍ଦିର ଭଳି ବିଭିନ୍ନ ମନ୍ଦିରର ଉନ୍ନତିକରଣ ହେଉ କି ତରାବୋଇ  ରେଳ ଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ, ତିନୋଟି ସୌର ଚାଳିତ ଶୀତଳ ଭଣ୍ଡାରର ଉଦଘାଟନ, ସେହିଭଳି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୭୫୦୦ରୁ ଉର୍ଦ୍ଧ୍ୱ ସିଙ୍ଗଲ ସୋଲାର ଲାଇଟ୍ ଲଗାଇବା ସହ  ୧୫୩ଟି ହାଇମାଷ୍ଟ ସୋଲାର ଲାଇଟ୍ ଏବଂ ୨୦ଟି ମିନି ମାଷ୍ଟ ସୋଲାର ଲାଇଟ୍ ଲଗାଇଥିବା ମଧ୍ୟ ଦର୍ଶାଇଛନ୍ତି ଅପରାଜିତା   । ଆଗକୁ ପ୍ରତି ୬ ମାସରେ ଏହିଭଳି ନିର୍ବାଚନ ମଣ୍ଡଳୀୱାରି ବିକାଶ ମୂଳକ କାର୍ଯ୍ୟର ଲିଷ୍ଟ ସବୁ ପ୍ରଦାନ କରିବେ ବୋଲି କହିଛନ୍ତି ।