ହଜିଯିବାକୁ ବସିଛି ଖଣ୍ଡପଡ଼ାର ଲୋକକଳା ‘ଢୁମ୍ପା ସଙ୍ଗୀତ’

 ଖଣ୍ଡପଡ଼ା : ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବରୁ ଗଡଜାତ ଖଣ୍ଡପଡ଼ା ଅଞ୍ଚଳରେ ଏକଦା ପ୍ରସିଦ୍ଧି ଲାଭକରିଥିବା ଲୋକପ୍ରିୟ ଲୋକକଳା ‘ଢୁମ୍ପା ସଙ୍ଗୀତ' ଏବେ ଜନମାନସରୁ ହଜିଯିବାକୁ ବସିଛି । ରାଜରାଜୁଡା ଅମଳରୁ ଗଡଜାତ ଖଣ୍ଡପଡ଼ାରେ ଏହି ଲୋକକଳା ପ୍ରଚଳିତ ହୋଇଆସୁଛି । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଏଭଳି ଲୋକକଳା ‘ଢୁମ୍ପା ସଙ୍ଗୀତ' ଦେଖିବାକୁ ମିଳୁ ନଥିବା ବେଳେ, ସମଗ୍ର ରାଜ୍ୟରେ ପ୍ରଚଳିତ ବିଭିନ୍ନ ପ୍ରକାରର ଲୋକକଳା ମଧ୍ୟରେ ଖଣ୍ଡପଡା ଢୁମ୍ପା ସଙ୍ଗୀତର ସ୍ୱତନ୍ତ୍ର ଆଦର ଓ ପରିଚୟ ରହିଛି । ରାଜ୍ୟ ଓ ରାଜ୍ୟ ବାହାରେ ଖଣ୍ଡପଡା ଅଞ୍ଚଳର କଳାକାରମାନେ ଏକଦା ଢୁମ୍ପା ସଙ୍ଗୀତ ପରିବେଷଣ କରି ବେଶ ପ୍ରଶଂସା ସାଉଁଟିଥିବା ଜଣାପଡିଛି । ସୁଦୁର କଲକାତା, ଆନ୍ଧ୍ରପ୍ରଦେଶ ଓ ପଡୋଶୀ ରାଜ୍ୟ ଛତିଶଗଡରେ ଖଣ୍ଡପଡାର କଳାକାରମାନେ ଏହି ସଙ୍ଗୀତ ବହୁବାର ପରିବେଷଣ କରିଥିବାର ନଜିର ରହିଛି । ତେବେ ଏହି ଧରଣର ଲୋକକଳାକୁ ଭବିଷ୍ୟତ ପୀଢି ପାଇଁ ବଞ୍ଚାଇ ରଖିବା ନିମନ୍ତେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ କଳା ଓ ସଂସ୍କୃତି ବିଭାଗ ପକ୍ଷରୁ କୌଣସି ଉଦ୍ୟମ ଆରମ୍ଭ ନହେବା ଦୁଃଖର ବିଷୟ ଅଟେ । ଖଣ୍ଡପଡ଼ା ଅଞ୍ଚଳର କିଛି ପୁରୁଖା ବ୍ୟକ୍ତି ଓ ଯୁବଗୋଷ୍ଠୀ କେବେ କେମିତି ବିଭିନ୍ନ ସ୍ଥାନରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ‘ଢୁମ୍ପା ସଙ୍ଗୀତ' ପରିବେଷଣ କରିଆସୁଛନ୍ତି । ରାଧାକୃଷ୍ଣଙ୍କ ପ୍ରେମ ଓ ଶୃଙ୍ଗାର ରସ ଉପରେ ସମସ୍ତ ଢୁମ୍ପା ସଙ୍ଗୀତ ଆଧାରିତ ହୋଇଥାଏ । ଏହି ସଙ୍ଗୀତରେ ବାଦ୍ୟଯନ୍ତ୍ର ଭାବେ ଜଙ୍ଗଲରେ ଉପଲବ୍ଧ ହେଉଥିବା ଭେଣ୍ଡିଆ ମର୍ଦ୍ଦନ ଗଛର ଗଣ୍ଡିକୁ ଏକ ସ୍ୱତନ୍ତ୍ର ଉପାୟରେ ସଂଗ୍ରହ କରାଯାଇ ବ୍ୟବହାର କରାଯାଇଥାଏ । ଏବେ ଏହି ଗଛ ପ୍ରାୟତଃ ସଂରକ୍ଷିତ ଜଙ୍ଗଲରେ ବିଲୁପ୍ତ ହେବାକୁ ବସିଛି । ଏହାର ସ୍ୱତନ୍ତ୍ରତା ହେଲା ଲୋକଗୀତ ସହ ତାଳଦେଇ ଗଛର ଗଣ୍ଡିକୁ ଦୁଇ ପାର୍ଶ୍ୱରେ ବସିଥିବା ବ୍ୟକ୍ତି କାଠି ସହାଯତାରେ ବଜାଉଥିବା ବେଳେ, ଜଣେ ପେଟୁଆ ବ୍ୟକ୍ତି ମଝିରେ ବସି ‘ଢୁମ୍ପା'କୁ ପେଟରେ ବାଡ଼ଉଥିବା ଦୃଶ୍ୟ ବେଶ ଉପଭୋଗ୍ୟ ଅଟେ । ବିଲୁପ୍ତର ଦ୍ୱାର ଦେଶରେ ପହଞ୍ଚିଥିବା ଏହି ଲୋକକଳାକୁ ଉଜ୍ଜୀବିତ କରି ରଖିବା ନିମନ୍ତେ ରାଜ୍ୟ ସରକାରଙ୍କ କଳା ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଖଣ୍ଡପଡ଼ା ଅଞ୍ଚଳର ବହୁ କଳାପ୍ରେମୀ ଜନସାଧାରଣ ଦାବି କରିଛନ୍ତି ।