ଶିକ୍ଷକ ଅଦଳ ବଦଳରେ ଅନିୟମିତତା: ଧାରଣାରେ ବସିଲେ ବିଦ୍ୟାର୍ଥୀ ଓ ଅଭିଭାବକ
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଶିକ୍ଷା ବିଭାଗରେ ରାସଲାଇଜେସନ(ଶିକ୍ଷକ ଅଦଳ ବଦଳ)ରେ ଅନିୟମିତତାରେ ଆଜି ସରକଣା ବିଦ୍ୟାପୀଠ ମୁଖ୍ୟ ଫାଟକରେ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଥିଲେ । କିଛି ଅଭିଭାବକ ଓ ବିଦ୍ୟାର୍ଥୀ ସରକଣା-ଅନ୍ଧଟି ଗ୍ରାମ୍ୟ ଉନ୍ନୟନ ରାସ୍ତାରୋକ କରିଥିଲେ । ଫଳରେ ଯାତାୟାତ ଠପ ହୋଇଯାଇଥିଲା । ଖବରପାଇ ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିହାରିକା ପଣ୍ଡା, ବିଆରସିସି ରମାମଣି ଦେଇ ବାଲିଅନ୍ତା ଥାନାରୁ ରମାନନ୍ଦ ସାହୁ, ମାନସ ରଞ୍ଜନ ମଲ୍ଲିକ ପହଞ୍ଚି ଧାରଣାରତ ବିଦ୍ୟାର୍ଥୀ ଓ ଅଭିଭାବକଙ୍କୁ ବୁଝାଇଥିଲେ ମଧ୍ୟ ପରିସ୍ଥିତି ସୁଧୁରିନଥିଲା । ଏହି ସମୟରେ ବିଦ୍ୟାର୍ଥୀ ଓ ଅଭିଭାବକଙ୍କୁ ବ୍ଲକ ଶିକ୍ଷାଧିକାରୀଙ୍କ କିଛି ମନ୍ତବ୍ୟକୁ ନେଇ ଅଭିଭାବକ ମାନେ ଆହୁରି ଉତ୍ତ୍ୟକ୍ତ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଶିକ୍ଷାଧିକାରୀଙ୍କୁ ମଧ୍ୟ ବିଦ୍ୟାଳୟ ଭିତରକୁ ପ୍ରବେଶ କରାଇଦେଇନଥିଲେ ଧାରଣାରତ ଛାତ୍ରଛାତ୍ରୀ । ଉତ୍ୟକ୍ତ ଅଭିଭାବକଙ୍କ ଠେଲାପେଲାରେ ଶିକ୍ଷାଧିକାରୀ ଏବଂ ଅତିରିକ୍ତ ଶିକ୍ଷାଧିକାରୀ ତଳେ ପଡି ଯାଇଥିଲେ । ପୁଲିସ ଅଭିଭାବକଙ୍କ କବଳରୁ ଶିକ୍ଷାଧିକାରୀଙ୍କୁ ଉଦ୍ଧାର କରିଥିଲେ । ପରେ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ ପହଞ୍ଚି ଉତ୍ତ୍ୟକ୍ତ ବିଦ୍ୟାର୍ଥୀ ଓ ଅଭିଭାବକଙ୍କୁ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା କ୍ଷ ମାତ୍ର ବଦଳୀ ହୋଇଥିବା ଶିକ୍ଷୟତ୍ରୀ ଉକ୍ତ ବିଦ୍ୟାଳୟକୁ ଫେରାଇଆଣିବା ପାଇଁ ଦାବି କରିଥିଲେ । ଏହାକୁ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବାପାଇଁ ପ୍ରତିଶ୍ରୁତି ଦେବାପରେ ଧାରଣାରୁ ନିବୃତ ହୋଇଥିଲେ ଉଭୟ ବିଦ୍ୟାର୍ଥୀ ଓ ଅଭିଭାବକ । ପ୍ରକାଶଥାଉକି ଗତ ୨ ଦିନ ତଳେ ଜିଲ୍ଲା ଶିକ୍ଷାବିଭାଗର ରାସଲାଇଜେସନ(ଶିକ୍ଷକ ଅଦଳବଦଳ)ନିଦେ୍ର୍ଦଶନାମା ପ୍ରକାଶ ପାଇଥିଲା । ଏହି ନିଦେ୍ର୍ଦଶାବଳି ଅନୁସାରେ ଉକ୍ତ ବିଦ୍ୟାଳୟରୁ ଜଣେ ଶିକ୍ଷୟତ୍ରୀଙ୍କୁ ବଦଳୀ କରିବା ସହ ଅନ୍ୟ ଜଣେ ଶିକ୍ଷକଙ୍କୁ ସିଆରସିସିକୁ ପଦୋନ୍ନତି କରାଯାଇଛି । ଫଳରେ ଆବଶ୍ୟକତା ଶିକ୍ଷକ ନଥିବାରୁ ଶିକ୍ଷା ପ୍ରଦାନରେ ବ୍ୟାଘାତ ଦେଖାଯାଉଛି । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଧାରଣାରେ ବସିଥିଲେ ।