କଂଗ୍ରେସର ସୃଜନ ସଂଗଠନ ଅଭିଯାନ
ଚମ୍ପୁଆ : ଅଖିଳ ଭାରତ କଂଗ୍ରେସ କମିଟିର ନିଦେ୍ର୍ଦଶ କ୍ରମେ ଜିଲା ସଭାପତି ଚୟନ ନିମନ୍ତେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂଗଠନିକ ସୃଜନ ଅଭିଯାନ ବୈଠକ ଆଜି ସ୍ଥାନୀୟ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହାରି ଅଧାରରେ ଜିଲାରେ ଯେଉଁ ସାଂଗଠନିକ ପଦପଦବୀ ସବୁ ରହିଛି, କଂଗ୍ରେସ ଦଳକୁ ଯେଉଁମାନେ ଆଗାମୀ ଦିନରେ କାର୍ଯ୍ୟକ୍ଷମ ଓ ଶକ୍ତିଶାଳୀ କରାଇବେ ଏବଂ ଯେଉଁମାନେ ତୃଣମୂଳ ସ୍ତରରେ ନିଃସ୍ୱାର୍ଥପର ଭାବେ କାମ କରୁଥିବେ ସେମାନଙ୍କ ମଧ୍ୟରୁ ବ୍ଲକ ଓ ଜିଲା ସଭାପତି ଏବଂ ବିଭିନ୍ନ ଯୁବ ଛାତ୍ର ସଂଗଠନ ମୁଖିଆ ମାନଙ୍କୁ ଚୟନ କରିବା ପାଇଁ ଏହି ସୃଜନ କାର୍ଯ୍ୟକ୍ରମର ଲକ୍ଷ । ଆଗରୁ ଦଳର ବରିଷ୍ଠ ନେତୃବୃନ୍ଦ ସେମାନଙ୍କର ନିଜର ଲୋକମାନଙ୍କୁ ଏହିସବୁ ପଦପଦବୀରେ ରଖୁଥିଲେ । କଂଗ୍ରେସର ଜନମାନ୍ୟ ନେତା ରାହୁଲ ଗାନ୍ଧି ଏହାକୁ ଉପଲବ୍ଧି କରି ଯେଉଁମାନେ ପ୍ରକୃତରେ ଦଳ ପାଇଁ କାମ କରୁଛନ୍ତି ସେମାନଙ୍କୁ ସର୍ବସମ୍ମତି କ୍ରମେ ଦାୟିତ୍ୱ ଦେବା ପାଇଁ ଦଳର ଏହି ସୃଜନ କାର୍ଯ୍ୟକ୍ରମ ବୋଲି ନେତାମାନେ କହିଥିଲେ । ଆଜିର ଏହି ସୃଜନ କାର୍ଯ୍ୟକ୍ରମରେ ଏଆଇିସି ପର୍ଯ୍ୟବେକ୍ଷକ ଭାବେ ତାମିଲନାଡୁ ବିଧାନ ସଭା ସଦସ୍ୟ ହସନ ମୌଲାନା, ସହପର୍ଯ୍ୟବେକ୍ଷକ ଭାବେ କଂଗ୍ରେସର ୱାର୍କିଂ କମିଟି ସଦସ୍ୟା ତଥା ମୟୂରଭଂଜର ପୂର୍ବତନ ସାଂସଦ ଶୁସିଳା ତିରିଆ, ଓଡିଶା ପ୍ରଦେଶ କଂଗ୍ରେସର ସୁରେଶ ଅଗ୍ରୱାଲ, ସଂଯୋଜକ ଭାବେ ସୁଦର୍ଶନ ଜେନା, କେନ୍ଦୁଝର ଜିଲାର କଂଗ୍ରେସ ନେତ୍ରୀ ସଙ୍ଗିତା ସିଂ, ରାଜ୍ୟ ଆଦିବାସୀ କଂଗ୍ରେସ ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ପୂର୍ବତନ ଏମ୍ଏଲ୍ଏ ସୁବର୍ଣ୍ଣ ନାଏକ, ଯଦୁମଣୀ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।