ହାଲ୍ ସହ ବଡ ଚୁକ୍ତି : ବାୟୁସେନାକୁ ମିଳିବ ୯୭ ତେଜସ ବିମାନ
ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ବାୟୁସେନା । ଏନେଇ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ) ସହ ବଡ ଚୁକ୍ତି କରିଛି । ଏହି ଚୁକ୍ତି ଦ୍ୱାରା ଭାରତୀୟ ବାୟୁସେନାକୁ ମିିଳିବ ୯୭ ଟି ତେଜସ୍ ହାଲୁକା ଯୁଦ୍ଧ ବିମାନ । ଯାହାର ବ୍ୟୟବରାଦ ରହିଛି ୬୨,୩୭୦ କୋଟି ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଅନ୍ ସିକୁ୍ୟରିଟି (ସିସିଏସ) ମେଗା କ୍ରୟକୁ ସବୁଜ ସଙ୍କେତ ଦେବାର ଏକ ମାସ ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହା ରାଷ୍ଟ୍ରାୟତ୍ତ ଏରୋସ୍ପେସ୍ ମହାଶକ୍ତିକୁ ଦିଆଯାଇଥିବା ଦ୍ୱିତୀୟ ଚୁକ୍ତି । ୨୦୨୧ ଫେବୃଆରିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ବାୟୁସେନା ପାଇଁ ୮୩ ଟି ତେଜସ୍ ଏମକେ-୧ଏ ଜେଟ୍ କ୍ରୟ ପାଇଁ ହାଲ ସହିତ ୪୮,୦୦୦ କୋଟି ଟଙ୍କାର ଏକ ଚୁକ୍ତିରେ ମୋହର ମାରିଥିଲା । ମନ୍ତ୍ରଣାଳୟ କହିଛି ଯେ ୬୨,୩୭୦ କୋଟି ଟଙ୍କା (କର ବାଦ ଦେଇ) ମୂଲ୍ୟରେ ବାୟୁସେନା ପାଇଁ ସମ୍ପୃକ୍ତ ଉପକରଣ ସହିତ ୯୭ ଟି ତେଜସ୍ ହାଲୁକା ଯୁଦ୍ଧ ବିମାନ- ଏମକେ୧ଏ ପାଇଁ ହାଲ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଉନ୍ନତ ଜେଟ୍ରେ ସ୍ୱୟଂ ରକ୍ଷା କବଚ ଓ ନିୟନ୍ତ୍ରଣ ଆକ୍ଟୁଏଟର ରହିବ, ଯେଉଁଥିରେ ୬୪ ପ୍ରତିଶତରୁ ଅଧିକ ସ୍ୱଦେଶୀ ଯନ୍ତ୍ରପାତି ଓ ୬୭ଟି ନୂତନ ସ୍ୱଦେଶୀ ସାମଗ୍ରୀ ରହିବ । ଏଥିରେ ୬୮ଟି ସିଙ୍ଗଲ ସିଟ ଓ ୨୯ଟି ଡବଲ ସିଟ ବିମାନ ରହିବ । ୨୦୨୭-୨୮ ରେ ବିତରଣ ଆରମ୍ଭ ହେବ ବୋଲି ଏଥିରେ କୁହାଯାଇଛି । ଏହାକୁ ବାୟୁ ପ୍ରତିରକ୍ଷା, ସାମୁଦ୍ରିକ ଗୁଇନ୍ଦା ଓ ଆକ୍ରମଣ ଭୂମିକା ଗ୍ରହଣ କରିବା ପାଇଁ ଡିଜାଇନ୍ କରାଯାଇଛି ।