୧୧ ସ୍ଥାନରେ ବଢୁଛି ନଦୀ, ଲୋକେ ଆତଙ୍କିତ
ଭୁବନେଶ୍ୱର/କଟକ/ପଟ୍ଟାମୁଣ୍ଡାଇ:
ଆଗାମୀ ସପ୍ତାହେ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଯାହାଫଳରେ ଏବେ ନଦୀ ଫୁଲିବା ଆରମ୍ଭ କରିଛି । ରାଜ୍ୟର ୧୧ ସ୍ଥାନରେ ବିଭିନ୍ନ ନଦୀର ଜଳସ୍ତର ବଢୁଥିବାବେଳେ କେତେକ ସ୍ଥାନରେ ବିପଦ ସଂକେତ ପାଖାପାଖି ପହଁଚିଯାଇଛି । ସେପଟେ ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ନଦୀକୂଳିଆ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇଯାଇଛନ୍ତି ।
ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ, ଖଇରମାଳ, ଟିକରପଡ଼ା ଓ ନରାଜ ଠାରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ହୀରାକୁଦର ୨୦ଟି ଗେଟ୍ ପୂର୍ବରୁ ଖୋଲିଥିବାବେଳେ ଆଜି ୪ଟି ଗେଟ୍ ବନ୍ଦ କରାଯାଇଛି । ସେହିପରି କୁଶଭଦ୍ରା ନଦୀ ନିମାପଡ଼ା ଠାରେ ବଢୁଥିବାବେଳେ ଆଳିପିଙ୍ଗଳ ଠାରେ ଦେବୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ତାଳଚେର ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଅନ୍ୟ ସ୍ଥାନରେ ଜଳସ୍ତର ସ୍ଥିର ରହିଛି ।
ଏତଦବ୍ୟତୀତ ଆଖୁଆପଦା ଠାରେ ବୈତରଣୀ ନଦୀ ଏବଂ ଚନ୍ଦନପୁର ଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତରରେ ବୃଦ୍ଧି ପରିଲକ୍ଷିତ ହେଉଛି । ସେହିପରି ସୁବର୍ଣ୍ଣରେଖାର ଜଳସ୍ତର ଜାମଶୋଳାଘାଟ ଓ ରାଜଘାଟ ଠାରେ ବୃଦ୍ଧି ପାଉଛି । ମଥାନୀ ରୋଡ଼ ବ୍ରିଜ ଠାରେ ଜଳକା ନଦୀ ବିପଦସଂକେତ ଛୁଇଁଛି ।
ଅନ୍ୟ କେତେକ ସ୍ଥାନରେ ଜଳସ୍ତର ସ୍ଥିର ରହିଥିଲେବି ବିପଦସଂକେତ ପାଖାପାଖି ରହିଛି । ଯଦି ସେହି ଅଞ୍ଚଳରେ ଭଲ ବର୍ଷା ହୁଏ ତେବେ ପାଣି ବିପଦସଂକେତ ଉପରେ ପ୍ରଭାବିତ ହେବାର ଆଶଙ୍କା ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦ରୁ ୪୦ କିମି ରହିବା ସହ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ଏହାଛଡ଼ା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଢେଙ୍କାନାଳର ଗୋଟିଏ ବା ଦୁଇଟି ସ୍ଥାନରେ ଝଟକା ପବନ ସହ ବଜ୍ରପାତ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ପରଦିନଠାରୁ ବର୍ଷା କମିବାର ସମ୍ଭାବନା ରହିଛି ।
ସେହିପରି ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରିରହିଛି । ବର୍ଷା ଲାଗି ରହିବା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା ଦେଖାଦେଇଛି । ତେବେ ହୀରାକୁଦ ବନ୍ୟାଜଳ ଛାଡ଼ିବା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆଜି ମୁଣ୍ଡୁଳିରେ ବର୍ଷର ପ୍ରଥମ ବନ୍ୟାଜଳ ପହଁଚିଛି । ସକାଳ ୮ ଟା ସୁଦ୍ଧା ୮୭ ହଜାର ୭୦୦ କୁ୍ୟସେକ ଜଳ ପ୍ରବାହିତ ହେଉଛି । ସେପଟେ ମହାନଦୀରେ ଜଳସ୍ତର ବଢ଼ିବା ଯୋଗୁ ବାଙ୍କୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ବାଙ୍କୀ ଏବଂ ତିଗିରିଆ ଅଞ୍ଚଳର ଜନ ସାଧାରଣ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆଜି ରାତି ସୁଦ୍ଧା ୫ ଲକ୍ଷ କୁ୍ୟସେକ ପାଣି ମୁଣ୍ଡୁଳି ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ଅପରପକ୍ଷରେ ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିଂହଗାଁ ପଞ୍ଚାୟତରେ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି । ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତର ସିଂହଗାଁ, କୃଷ୍ଣଦାସପୁର ରାଉଳିଆଡିଆ, ପାଣିସାଉଁଳିଆ ଆଦି ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ସେହିପରି ଅଳପୁଆ ପଞ୍ଚାୟତର ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ, ଶାସନ ସେଠୀ ସାହି, ଜେନା ସାହି, ପାହାନ୍ତାସିଂହ ସାହି, ତରଡ଼ିପାଳ ପଞ୍ଚାୟତର ପୋଖରୀକୂଳ, ଗୋପାଳପୁର, ଜେନାସାହି, ବିଶ୍ୱାଳ ସାହି, ନାଥସାହି, ମଳିକସାହି,ଘାଗରା ଡିଆ, ପେଣ୍ଠପାଳ ପଞ୍ଚାୟତର କୂଳସାହି, କୋଳଥିଆ, ବାଲିକିରା, ଦାଣ୍ଡିସାହି, ଅଣ୍ଢରା ପଞ୍ଚାୟତର ବ୍ରହ୍ମପୁର, ବିଷ୍ଣୁପୁର, ବ୍ରାହ୍ମଣସାହି, ଦାଣ୍ଡିଉପର, ଅମୃତମଣୋହି ପଞ୍ଚାୟତର ନୂଆଡିଆ, ଜଗନ୍ନାଥପୁର, ଶାନ୍ତିପଡା, ସିଦ୍ଧବାଲି, ବଲୁରିଆ ପଞ୍ଚାୟତର ଫୁଲପାଟଣା ଆଦି ଅଞ୍ଚଳର ଶହ ଶହ ଏକର ଚାଷ ଜମିରେ ବନ୍ୟା ପାଣି ମାଡିଯାଇଛି । ନିକଟ ଅତୀତରେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣାରେ ଦୁଇ ଜଣଙ୍କ ମୃତୁ୍ୟ ଘଟିଥିବା ଓ ସମ୍ପ୍ରତି ବନ୍ୟା ପ୍ଳାବିତ ଅଞ୍ଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଞ୍ଚାୟତର ଚାଷଜମିରେ ବନ୍ୟା ଜଳ ମାଡିଯାଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, କଷଣଅଣ୍ଟା, ତଳବାଲିପଡ଼ା, ସିଦ୍ଧପାଟଣା, ବଳଦେବନଗର, ତନୁପୁର, ନନ୍ଦିନୀନଗର, କାକୁଡିପଲ୍ଲୀ, ନୂଆଗାଁ ଅଳଭା, ଷଣ୍ଢପଲ୍ଲୀ ଆଦି ଅଞ୍ଚଳର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି । ସେହିପରି ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ମନ୍ଦିର ବେଢ଼ାକୁ ଛୁଇଁଛି ମହାନଦୀ । ଚଳିତ ବର୍ଷ ମହାନଦୀର ପ୍ରଥମ ବନ୍ୟାଜଳ ମା’ଙ୍କ ବେଢ଼ାକୁ ସ୍ପର୍ଶ କରିଛି । ମନ୍ଦିରର ଜଳସ୍ତର ବଢୁଥିବାରୁ ଘଟଣାସ୍ଥଳରେ ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ନିଘା ରଖିଛି । ସେହିପରି ହୀରାକୁଦର ଗେଟ୍ ଏବେବି ଖୋଲାଥିବା ବେଳେ ମୁଣ୍ଡଳୀଠାରେ ମହାନଦୀର ବନ୍ୟା ଜଳ ପହଁଚିସାରିଛି । ଆଗକୁ ବନ୍ୟା ଜଳ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଫଳରେ ମନ୍ଦିରରେ ବନ୍ୟା ପାଣି ପ୍ରବେଶ କରିବ । ଏଥିପ୍ରତି ସମସ୍ତେ ସଜାଗ ଥିବାବେଳେ ମନ୍ଦିର ଅଞ୍ଚଳକୁ ନଆସିବା ପାଇଁ ବାରଣ କରାଯାଇଛି । ଖାଲି ସେତିକିନୁହେଁ, ମହାନଦୀ ଭିତରକୁ ପ୍ରବେଶ କରିବା ଓ ଗାଧୋଇବା ଉପରେ କଟକଣା ଲଗାଯାଇଛି । ଏନେଇ ଦେବୋତ୍ତର ବିଭାଗ ପକ୍ଷରୁ ସତର୍କ ସୂଚନା ଜାରିକରାଯାଇଛି ।