୧୨ ଯାଏଁ ଝଡ଼ବର୍ଷା, ୧୩ରୁ ଛେଚିବ ନୂଆପଡ଼ା ଓ ଗଜପତିରେ ନିଅଣ୍ଟିଆ 

 ଭୁବନେଶ୍ୱର :  ଗାଙ୍ଗେୟ ପଶ୍ଚିମବଙ୍ଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହୋଇଛି  । ସେହିପରି ଓଡ଼ିଶା ଦେଇ ଦୁଇଟି ଟ୍ରଫ୍ ଲାଇନ୍ ବି ଯାଇଛି  । ଏହାର ପ୍ରଭାବରେ ଝଡ଼ବର୍ଷାର ସମ୍ଭାବନା ରହିଛି  ।
ସେପଟେ ଜୁନ୍ ୯ ସୁଦ୍ଧା ସାରା ରାଜ୍ୟରେ ୩୯୮.୮ ମିମି ବର୍ଷା ହୋଇଛି  । ଏହି ସମୟରେ ସ୍ୱାଭାବିକ ଭାବେ ୨୯୫ ମିମି ବର୍ଷା ହୋଇଥାଏ  । ନୂଆପଡ଼ା ଓ ଗଜପତିରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ବାକି ସବୁ ଜିଲ୍ଲାରେ ସ୍ୱାଭାବିକ ବା ଅଧିକ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି  । ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି  । ବାକି ସବୁ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବା ଅଧିକରୁ ଅଧିକ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି  ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି  । ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ଆସନ୍ତା ୧୨ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ଅବା ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି  । ତେବେ ୧୩ରେ ପ୍ରଭଳ ବର୍ଷା ହେବ  । ବିଶେଷକରି ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି  । ଯେତେବେଳେକି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି  ।