୧୪ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

୧୪ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ଚଳିତବର୍ଷ ମୋଟ ୪ଟି ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ  ହେବ। ଦୁଇଟି ଆଂଶିକ ସୂର୍ଯ୍ୟୋପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ରେ ହେବ। ଏହା ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଆଦି ଅଞ୍ଚଳରେ ଦେଖାଯିବ। ହେଲେ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ। ଭାରତୀୟ ସମୟ ପୂର୍ବାହ୍ନ ୧୦ଟା ୩୯ ମିନିଟରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୨ଟା ୧୮ରେ ଶେଷ ହେବ। କିନ୍ତୁ ପୂର୍ଣ୍ଣ ଗ୍ରହଣ ପୂର୍ବାହ୍ନ ୧୧ଟା ୫୬ରୁ ଅପରାହ୍ନ ୧ଟା ୧ ପର୍ଯ୍ୟନ୍ତ ଦେଖାଯିବ। ସେହି ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ଧାରଣ କରିବ। ଭାରତରେ ଦିନ ସମୟରେ ଚନ୍ଦ୍ରଗ୍ରହଣ ଘଟୁଥିବାରୁ ଦେଶର କୌଣସି ସ୍ଥାନରେ ଏହା ଦୃଶ୍ୟମାନ ହେବନାହିଁ ବୋଲି ଜ୍ୟୋତିର୍ବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେହିପରି ମାର୍ଚ୍ଚ ୨୯ରେ ଆଂଶିକ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହା ଉତ୍ତର ଆମେରିକା, ଗ୍ରୀନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ, ଉତ୍ତର ଆଟ୍‌ଲାଣ୍ଟିକ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ରୁଷ୍‌ରେ ଦୃଶ୍ୟମାନ ହେବ। ଚଳିତବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ।
ଅନ୍ୟପକ୍ଷରେ ସେପ୍ଟେମ୍ବର ୭ କିମ୍ବା ୮ ତାରିଖରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଏହା ସମଗ୍ର ଭାରତ ସହ ଏସିଆର ଅନ୍ୟ ଦେଶ ତଥା ୟୁରୋପ, ଆଣ୍ଟାର୍କଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ସେପ୍ଟେମ୍ବର ୭ ରାତି ୮ଟା ୫୮ରୁ ୨ଟା ୨୫ ପର୍ଯନ୍ତ ଚନ୍ଦ୍ରଗ୍ରହଣ ରହିବ। ପୂର୍ଣ୍ଣ ଗ୍ରହଣ ରାତି ୧୦ଟାରୁ ରାତି ୧୨ଟା ୨୨ ପର୍ଯନ୍ତ ୨ ଘଣ୍ଟା ୨୨ ମିନିଟ ଧରି ଦେଖାଯିବ। ସେହି ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ଧାରଣ କରିବ। ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟୋପରାଗ ସେପ୍ଟେମ୍ବର ୨୧-୨୨ ତାରିଖରେ ହେବ। ଏହା ନ୍ୟୁଜିଲାଣ୍ଡ, ଇଷ୍ଟର୍ନ ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ। ଏହି ଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ ବୋଲି ଡ. ପଟ୍ଟନାୟକ କହିଛନ୍ତି।