୧୬ରୁ ଶୂନ ମୃତାହତ ପକ୍ଷ

ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସରକାରଙ୍କ ଦ୍ୱାରା ନିରନ୍ତର ପ୍ରୟାସ ଜାରି ରହିଛି । ନିକଟରେ ଶୂନ ଦୁର୍ଘଟଣା ଦିବସ ପାଳନ ପରେ ଏବେ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୧୬ ରୁ ୩୦ ଯାଏଁ ସାରା ରାଜ୍ୟରେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି । ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯିବ । ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପାଳନ ସମୟରେ ସଡ଼କ ନିୟମ ଉଲ୍ଲଙ୍ଘକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ୱନ କରାଯିବ । ସାରା ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ଅନ୍ୟ ବିଭାଗ ସହ ମିଳିତ ଭାବରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ବ୍ୟାପକ କରାଯିବ । ବେପରୁଆ ଗାଡ଼ି ଚାଳନା କରି ନିଜ ସହ ଅନ୍ୟ ସଡ଼କ ବ୍ୟବହାକରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ଚିହ୍ନଟ ହୋଇଥିବା ଦୁର୍ଘଟଣାପ୍ରବଣ ରାସ୍ତା ଉପରେ ମଧ୍ୟ ବିଶେଷ ନଜର ରହିବ ।