ଜନସେବା କେନ୍ଦ୍ରରେ ସୁଭଦ୍ରା ଯୋଜନା ଫର୍ମ ବିକ୍ରି ; ୩ ଦଲାଲଙ୍କୁ ଧରିଲେ ଦୁଇ ଥାନାର ପୁଲିସ
ଭୁବନେଶ୍ୱର, ୧୨ା୯ : ସୁଭଦ୍ରା ଯୋଜନା ଟଙ୍କା ପାଇବାକୁ ରାଜଧାନୀ ସମେତ ସମସ୍ତ ଜିଲ୍ଲାର ଜନସେବା କେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରରେ ଫର୍ମ ପାଇଁ ମହିଳାଙ୍କ ଲାଗୁଛି ନାହିଁ ନଥିବା ଭିଡ଼ । ଯାହାର ଫାଇଦା ଉଠାଉଛନ୍ତି ଦଲାଲ । ବିଭିନ୍ନ ଜନସେବା କେନ୍ଦ୍ରରେ ଦଲାଲ ମାନେ ୨୦୦ ଟଙ୍କାରେ ସୁଭଦ୍ରା ଯୋଜନା ଫର୍ମ ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଛି । ହେଲେ ସରକାରଙ୍କ କଡ଼ା ନିଦେ୍ର୍ଦଶ ରହିଛି ଯେଉଁଠି ମଧ୍ୟ ମାଗଣାରେ ଦିଆଯାଉଥିବା ସୁଭଦ୍ରା ଯୋଜନା ଫର୍ମକୁ କେହି ଯଦି ବିକ୍ରି କରନ୍ତି ତାହାହେଲେ ସଙ୍ଗେ ସଙ୍ଗେ ନିକଟସ୍ଥ ଥାନା, ବିଏମସି ହେଲପ୍ ଲାଇନ୍ ନମ୍ବର କିମ୍ବା ପୁଲିସ ହେଲ୍ପ ଲାଇନ୍ ନମ୍ବରକୁ କଲ କରିବାକୁ ଅନୁରୋଧ କରାଯାଇଛି । ହେଲେ ମଧ୍ୟ ଦଲାଲ ମାନେ ପୁଲିସ ନିୟମକୁ ଫୁ କରି କିଛି ଜନସେବା କେନ୍ଦ୍ର ମାନଙ୍କରେ ଲୁଚା ଛପାରେ ମହିଳାଙ୍କୁ ୨୦୦ ଟଙ୍କାରେ ବିକ୍ରି କରାଯାଉଥିବା ଦେଖାଯାଇଛି । କାରଣ ଲୋକେ ସୁଭଦ୍ରା ଯୋଜନା ଟଙ୍କା ପାଇବା ଲୋଭରେ ଲୋକେ ଲମ୍ବା ଲାଇନ କରିବା ଅପେକ୍ଷା ଦଲାଲ ମାନଙ୍କୁ ୨୦୦ ଟଙ୍କା ଦେଇ ଫର୍ମ କିଣି ନେଉଛନ୍ତି । ସେହିଭଳି ୨ଟି ଘଟଣା ରାଜଧାନୀରେ ଦେଖାଯାଇଛି । ଜନସେବା କେନ୍ଦ୍ରରେ ଲୋକଙ୍କୁ ୨୦୦ ଟଙ୍କାରେ ସୁଭଦ୍ରା ଯୋଜନା ଫର୍ମ ବିକ୍ରି କରୁଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦୁଇ ଜଣ ଦଲାଲ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିଛି । ସେମାନେ ହେଲେ, ନିଳାଦ୍ରୀ ବିହାର ଅଞ୍ଚଳର ଶଶ୍ମିତା ଜେନା ଓ ରଞ୍ଜିତ ଜେନା । ସେହିଭଳି ଖାରବେଳନଗର ଥାନା ପୁଲିସ ମଧ୍ୟ ନିଜ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ର ନିକଟରେ ମହିଳାଙ୍କୁ ୨୦୦ ଟଙ୍କାରେ ଫର୍ମ ବିକ୍ରି କରୁଥିବା ବେଳେ ଖବର ପାଇ ପୁଲିସ ଚଢ଼ାଉ କରି ଜଣେ ଦଲାଲକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ସତ୍ୟନଗର ହାଉସିଂ ବୋର୍ଡ କଲୋନୀର ରତିକାନ୍ତ ସାହୁ । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ବୁଧବାର ଦିନ ପଟିଆ ଅଞ୍ଚଳରେ ରହିଥିବା ଜନସେବା କେନ୍ଦ୍ରରେ ମହିଳା ମାନେ ସୁଭଦ୍ରା ଯୋଜନା ଫର୍ମ ନେବାକୁ ଲମ୍ବା ଲାଇନ୍ ଲଗାଇଥିଲେ । ଏହି ସମୟରେ ଦୁଇ ଦଲାଲ ସ୍ୱାମୀ ସ୍ତ୍ରୀ କିଛି ମହିଳାଙ୍କୁ ସେଠାରେ ୨୦୦ ଟଙ୍କା ଦେଲେ ଫର୍ମ ମିଳିବ କହି ମହିଳା ମାନଙ୍କୁ ଦାବି କରୁଥିଲେ । ହେଲେ ଏନେଇ ମହିଳା ମାନେ ମାଗଣା ଫର୍ମ କଣ ବିକ୍ରି କରୁଛ ବୋଲି ପ୍ରଶ୍ନ କରିବାରୁ ଦଲାଲ ସ୍ୱାମୀ ସ୍ତ୍ରୀ ସେମାନଙ୍କୁ ଧମକାଇବା ସହ ଫର୍ମ ଦିଆଯିବ ନାହିଁ ବୋଲି କହିଥିଲେ । ଏକଥା ଶୁଣି ମହିଳା ଜଣଙ୍କ ଚନ୍ଦ୍ରଶେଖରପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳେକୁ ଦୁଇ ଦଲାଲ ସ୍ୱାମୀ ସ୍ତ୍ରୀ ମିଶି ଫର୍ମକୁ ବିକ୍ରି କରୁଥିବା ଦେଖିବାକୁ ପାଇଥିଲେ । ପରେ ସେମାନଙ୍କୁ କାବୁ କରି ଥାନାକୁ ଆଣିଥିଲେ । ପୁଲିସ ଏନେଇ ମାମଲା ରୁଜୁକରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ସେହିଭଳି ଖାରବେଳନଗର ଥାନା ପୁଲିସ ମଧ୍ୟ ନିଜ ଅଞ୍ଚଳରେ ଥିବା ଏକ ଜନସେବା କେନ୍ଦ୍ରରେ ଜଣେ ଦଲାଲ ୨୦ ସତକଡାରେ ଫର୍ମ ବିକ୍ରି କରୁଥିବା ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦଲାଲକୁ କାବୁ କରିଛି । ପରେ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।