ପୁଣି ବିମାନବନ୍ଦରରୁ ୨୦ କେଜି ସୁନା ଜବତ

ଭୁବନେଶ୍ୱର,୧୩ା୯: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ କିଛିଦିନ ବ୍ୟବଧାନ ପରେ ପୁଣିଥରେ ୨୦ କେଜି ସୁନା ଜବତ କରିଛି କଷ୍ଟମ ବିଭାଗର ସିଟିଜିଏସ୍ଟି ବିଭାଗ ।
ସୂଚନା ଯୋଗ୍ୟଯେ, ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇରୁ ଆସିଥିବା ଇଣ୍ଡିଗୋ ବିମାନରୁ ଏହି ସୁନା ସିଜ୍ କରାଯାଇଥିବା ସିଟି ଜିଏସ୍ଟି ପକ୍ଷରୁ ସୂଚନା ଦିଆଯାଇଛି । ଜବତ ୨୦ କେଜି ସୁନାରୁ ୧୬ କେଜି ସୁନାର ହିସାବ ଠିକ ଥିବାବେଳେ ବାକି ୪ କେଜି ସୁନାର ହିସାବ ମିଳୁନାହିଁ । ଇନଭୟସ ଓ ଡେଲିଭରି ସାର୍ଟିଫିକେଟ୍ ଠିକ ନଥିବା ଜଣାପଡ଼ିଛି । ଯାହାକୁ ଆଧାର କରି ସୁନାକୁ ଜବତ କରିବା ସହ ଏହି ମାମଲାରେ ୧୬ ଜଣ ସୁନା ବ୍ୟବସାୟୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଏହି ସୁନା ଭୁବନେଶ୍ୱର, କଳାହାଣ୍ଡି, ଅନୁଗୋଳ, ବାଲେଶ୍ୱର ଓ ଭଦ୍ରକ ଭଳି ସହରର ବ୍ୟବସାୟୀଙ୍କର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଜବତ ସୁନା ରାଜସ୍ଥାନର ଜୟପୁରରୁ ଆସିଥିବା ଜଣାପଡ଼ିଛି । ପୂର୍ବରୁ ଗତ ୨୬ ତାରିଖରେ ମଧ୍ୟ ଏହିପରି ୩୦ କେଜି ସୁନା ଓ ୨ଶହ କେଜି ରୂପାକୁ ଜବତ କରିଥିଲା ସିଟି ଜିଏସ୍ଟି ବିଭାଗ । ଏହାର ଯାଞ୍ଚ ପରେ କିଛି ବ୍ୟବସାୟୀଙ୍କୁ ନୋଟିସ ଜାରି କରାଯାଇ ମାମଲାର ତଦନ୍ତ ଚାଲୁଥିବା ଜଣାପଡ଼ିଛି ।