୧୬ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ୧୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ, ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏହି ୧୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଉଛନ୍ତି ପିଏଲଜିଏ ବାଟାଲିୟନର ମାଓବାଦୀ । ଏମାନଙ୍କ ମଧ୍ୟରୁ ଜଣେ ମହିଳା ଓ ପୁରୁଷ ମାଓବାଦୀ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା । ଏଥିସହ ୬ ଜଣ ମାଓବାଦୀଙ୍କ ନାମରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଦିନକୁ ଦିନ ମାଓ ସଙ୍ଗଠନ ଦୁର୍ବଳ ହୋଇ ନିଜର ନୀତି ଆଦର୍ଶରୁ ଓହରି ଯାଇଥିବାରୁ ଏମାନେ ନିଜର ଜୀବନ ବଞ୍ଚାଇ ସାଧାରଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଏମାନେ ଆତ୍ମସମର୍ପଣ କରିଥିବା କୁହାଯାଇଛି । ସମସ୍ତ ମାଓବାଦୀଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ସହ ଆଗାମୀ ଦିନରେ ଥଇଥାନ ନୀତି ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।