୧୭ରେ ବସିବ ରତ୍ନ ଭଣ୍ଡାର ଗଣତିମଣତି ବୈଠକ
ପୁରୀ : ରତ୍ନ ଭଣ୍ଡାରର ଗଣତି ମଣତି ନେଇ ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ବସିବ । ଏହି ବୈଠକରେ ରତ୍ନ ଅଳଙ୍କାର ଗଣତିମଣତି ନେଇ ପ୍ରସ୍ତୁତ ଏସଓପି ଉପରେ ଆଲୋଚନା କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ଅରବିନ୍ଦ ପାଢୀ କହିଛନ୍ତି ଯେ, ଶ୍ରୀଗୁଣ୍ଡିଚା ମନ୍ଦିର ସଂରକ୍ଷଣ କାମ ଚୂଡନ୍ତା ପର୍ଯ୍ୟାୟରେ ପହଞ୍ଚଛି । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଏହା ସହ ଚଳିତ ମାସ ବସନ୍ତ ପଞ୍ଚମୀରୁ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲାଯିବ । ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପରେ ପ୍ରଥମ ତିନିଦିନ ନିଃଶୁକ୍ଳରେ ପ୍ରବେଶ କରିପାରିବେ । ପରେ ୧୦ଟଙ୍କାର ଟିକେଟ୍ କାଟି ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିବେ । ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । ଏହା ସହ ଆଗକୁ ମାଗଣାରେ ଜୋତା ଷ୍ଟାଣ୍ଡ ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ ବୋଲି ଅରବିନ୍ଦ ପାଢୀ କହିଛନ୍ତି ।
Samir Kumar Rout