୧୮ତମ ପ୍ରବାସୀ ଭାରତୀୟ ଦିବସ : ବ୍ୟଞ୍ଜନ ଗୋଟିଏ ଦେଶର ସଂସ୍କୃତିର ପରିଚୟ ଦିଏ
ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସର ଶେଷ ଦିନରେ ‘ପ୍ରବାସୀ ବିତର୍କ: ସଂସ୍କୃତି, ସଂଯୋଗ ଏବଂ ସମ୍ପର୍କ’ର ଗାଥା ଶୀର୍ଷକ ଏକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେଲିବ୍ରିଟି ସେଫ ରଣବୀର ବ୍ରାର ଅଂଶଗ୍ରହଣ କରିଥିଲେ । ଗତ କିଛି ବର୍ଷ ଧରି ଭାରତୀୟ ଖାଦ୍ୟ ଏହାର ସ୍ୱାଦ ପାଇଁ ନୁହେଁ ବରଂ ଭାରତୀୟ ଗର୍ବ ପାଇଁ ବିଶ୍ୱ ମଞ୍ଚରେ ସମ୍ମାନ ଅର୍ଜନ କରିଛି ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ପୂର୍ବରୁ ବିଦେଶରେ ରେଷ୍ଟୁରାଣ୍ଟ ସ୍ଥାପନ କରିବାବେଳେ ମୁଁ ମଡର୍ଣ୍ଣ ଇଣ୍ଡିଆନ୍ ରେଷ୍ଟୁରାଣ୍ଟ ଭଳି ହାଇଫେକ୍ଟେଡ୍ ଶବ୍ଦ ବ୍ୟବହାର କରୁଥୁଲି । କିନ୍ତୁ ଏବେ କେବଳ ଭାରତୀୟ ରେଷ୍ଟୁରାଣ୍ଟ ନାମ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଯଥେଷ୍ଟ । ଗତ ୨୫ ବର୍ଷ ମଧ୍ୟରେ ଲୋକମାନେ ଖାଦ୍ୟ ଏବଂ ସଂସ୍କୃତିକୁ ଏକାଠି ଦେଖିବା ଆରମ୍ଭ କରିଥିବାରୁ ଏହା ସମ୍ଭବ ହୋଇଛି । ବ୍ୟଞ୍ଜନ ହିଁ ଗୋଟିଏ ଦେଶର ସଂସ୍କୃତିର ପରିଚୟ ଦିଏ । ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିବା ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରବାସୀ ଭାରତୀୟମାନଙ୍କୁ ବିଦେଶରେ ଭାରତର ସମୃଦ୍ଧ ଐତିହ୍ୟର ବାହକ ଭାବରେ ବର୍ଣ୍ଣନା କରିବା ସହ ଭାରତୀୟ ଖାଦ୍ୟ ଏବଂ ପରମ୍ପରା ବିଦେଶରେ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ଆଲୋଚନାଚକ୍ରରେ ମରିସସ୍ର କଳା ଓ ସଂସ୍କୃତି ମନ୍ତ୍ରୀ ମହେନ୍ଦ୍ର ଗୋଣ୍ଡିଆ, ଭୁଟାନର ଲେକା, ଡିଜାଇନର ତଥା କଳାକାର ସୁଶ୍ରୀ ଚାର୍ମି ଛେଦା, ୟୁକ୍ରେନ୍ର ଅର୍ଣ୍ଣବ ରାୟଚୂଡ଼ାମଣି, ନୁ୍ୟଜିଲାଣ୍ଡର ସୁଶ୍ରୀ ବାଣିସା ଧୀରୁ, ଓମାନ୍ର ଐଶ୍ୱର୍ଯ୍ୟା ହେଗ୍ଡେ, ଉଗାଣ୍ଡାର ପ୍ରବେଶ କୁମାର ରତିଲାଲ ମେହେତା, ମଲେୟେସିଆର ଶଙ୍କର କଂଦସାମୀ, ଇଟାଲିର ସୁଶ୍ରୀ ଉର୍ମିଳା ଚକ୍ରବର୍ତ୍ତୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।