ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନଠାରେ ଅନୁଷ୍ଠିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ହରିୟାଣାର ପର୍ଯ୍ୟଟନ ମନ୍ତ୍ରୀ କନୱର ପାଲ୍ ଗୁଜ୍ଜର ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲି ଦେଖିବା ସହ ଏହାର ପ୍ରଶଂସା କରିଥିଲେ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିକୁ ନେଇ ନିର୍ମାଣ କରାଯାଇଥିବା ଏହି ପ୍ରଦର୍ଶନୀ କକ୍ଷ ସମସ୍ତଙ୍କର ମନ ଜିଣିପାରିଛି । ଓଡ଼ିଶାର ମହାନ ପରମ୍ପରାକୁ ଲୋକଲୋଚନ କରାଇ ବିଶ୍ୱବିଦିତ କରିବାର ଏହି ଅଭିନବ ପ୍ରୟାସ ଅତୀବ ପ୍ରଶଂସନୀୟ । ପ୍ରଦର୍ଶନୀ କକ୍ଷରେ ଜଗନ୍ନାଥ ସଂସ୍କୃତି, ମାଣବସା ଗୁରୁବାର, ଦୋଳ ପୂର୍ଣ୍ଣମା ଆଦିକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଉକôଳର କାଳଜୟୀ ନୌବାଣିଜ୍ୟ ପରମ୍ପରାକୁ ଡିଜିଟାଲ ମାନଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ଯାହାକି ଅଭିନନ୍ଦନୀୟ ଓ ସ୍ୱାଗତଯୋଗ୍ୟ । ଏହି ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିର ବହୁଳ ପ୍ରଚାର ପ୍ରସାର ହେବା ସହ ଏହା ଓଡ଼ିଶାର ସଂସ୍କୃତିକୁ ବିଶ୍ୱବିଦିତ କରାଇବ । ଓଡ଼ିଶା ପ୍ରଦର୍ଶନୀ କକ୍ଷରେ ରଥଯାତ୍ରା ଓ ସୁନାବେଶର ଫଟୋଚିତ୍ର ପ୍ରଦର୍ଶିତ ହେବା ସହିତ କୋଣାର୍କ ଚକ୍ରକୁ ମଧ୍ୟ ସ୍ଥାନିତ କରାଯାଇଛି । ଏଥିସହ ଓଡ଼ିଶାର ବରପୁତ୍ର ଓ ବିଶିଷ୍ଟ ସାହିତି୍ୟକମାନଙ୍କର ଫଟୋଚିତ୍ର, ଜନଜାତି ସମ୍ପ୍ରଦାୟର ସଂସ୍କୃତି, ଓଡ଼ିଶାର ହସ୍ତକଳା, ପିପିଲି ପ୍ରସିଦ୍ଧ ଚାନ୍ଦୁଆ, ପଟ୍ଟଚିତ୍ର, ହସ୍ତତନ୍ତ, ବୟନ ଶିଳ୍ପ, ପ୍ରସିଦ୍ଧ ପାଟ ଏବଂ ସମ୍ବଲପୁରୀ ଶାôଢ଼ୀକୁ ମଧ୍ୟ ରଖା ଯାଇଛି । ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଏବଂ ସାଧବପୁଅମାନଙ୍କର ନୌବାଣିଜ୍ୟ ଯାତ୍ରାକୁ ଡିଜିଟାଲ ମାନଚିତ୍ର ମାଧ୍ୟମରେ ଦର୍ଶା ଯାଇଛି । ୧୮ତମ ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶା ପ୍ରଦର୍ଶନୀ କକ୍ଷ ସମସ୍ତ ପ୍ରବାସୀ ଭାରତୀୟମାନଙ୍କର ମନ ଜିଣିପାରିଛି ।