୨ ମାଓବାଦୀ ନିପାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ କାଙ୍କର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଯବାନଙ୍କ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ କାଙ୍କର ଜିଲ୍ଲାର ଅମାଟୋଲା ଓ କଲପାର ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ଛୋଟେବେଟିୟା ଥାନାରୁ ଡିଆରଜି ଓ ବିଏସଏଫ ଯବାନଙ୍କ ମିଳିତ ଦଳ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନ କରିଥିଲେ, ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ । ଉଭୟ ପକ୍ଷରୁ ଗୁଳି ବିନିମୟରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଯବାନଙ୍କ ସାମ୍ନା କରି ନପରି ମାଓବାଦୀ ମାନେ ଜଙ୍ଗଲ ମଧ୍ୟରେ ଲୁଚି ଯାଇଥିଲେ । ଅଞ୍ଚଳରେ ତଲାସି ଅଭିଯାନ ସମୟରେ ଜଣେ ୟୁନିଫର୍ମ ପିନ୍ଧା ମହିଳା ମାଓବାଦୀଙ୍କ ମୃତ ଦେହ ଠାବ ହୋଇଥିବା ବେଳେ ଘଟଣା ସ୍ଥଳରୁ ଅସ୍ତ୍ର ଶସ୍ତ୍ର ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ଏବଂ ଅନେକ ସଂଖ୍ୟକ ମାଓବାଦୀ ଏଥିରେ ମୃତାହାତ ହୋଇଥିବା ଅନୁମାନ କରାଯାଉଛି । ତେବେ ଯବାନ ମାନେ ଫେରିବା ପରେ ସମ୍ପୂର୍ଣ ତଥ୍ୟ ମିଳି ପାରିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।