୧୯୫ କୋଟି ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
- ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ
- ୪୭୧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ
- ପଞ୍ଚାୟତ କାର୍ଯ୍ୟାଳୟ ହେବ ୱାନ ଷ୍ଟପ ସର୍ଭିସ ସେଣ୍ଟର : ମୋହନ
ଭୁବନେଶ୍ୱର : ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ନୂଆପଡା ଓ କଳାହାଣ୍ଡି ଜିଲ୍ଲା ବ୍ୟତୀତ ରାଜ୍ୟର ୨୮ ଜିଲ୍ଲାରେ ୪୭୧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ୪୮,୬୯୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବାବଦରେ ୪୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଗରିବ ଲୋକଙ୍କ ବାସଗୃହ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୩୦ରେ ଆମ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ୨୦୨୪-୨୫ରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ୭,୫୫୦ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି । ଏଥିରେ ୫ ଲକ୍ଷ ଘର ନିର୍ମାଣ କରାଯିବ । ନୂଆପଡା, କଳାହାଣ୍ଡି ଜିଲ୍ଲାକୁ ଛାଡି ବାକି ୨୮ ଜିଲ୍ଲାର ୪୮ ହଜାର ୬୯୩ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସମୁଦାୟ ୧୯୪ କୋଟି ୭୭ ଲକ୍ଷ ଟଙ୍କା ବଣ୍ଟନ କରାଯାଇଛି । ହିତାଧିକାରୀମାନଙ୍କୁ ଦ୍ୱିତୀୟ କିସ୍ତିରେ ୬୫ ହଜାର ଏବଂ ତୃତୀୟ କିସ୍ତିରେ ୧୫ ହଜାର ଟଙ୍କା ଏହିପରି ସମୁଦାୟ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେଉଁ ହିତାଧିକାରୀମାନେ ୪ ମାସ ମଧ୍ୟରେ ଘର ଶେଷ କରିବେ, ସେମାନଙ୍କୁ ୨୦ ହଜାର ଟଙ୍କା ଏବଂ ଯେଉଁମାନେ ୬ ମାସରେ ଘର ଶେଷ କରିବେ, ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଗ୍ରାମ ପଞ୍ଚାୟତଗୁଡିକୁ ଜନକଲ୍ୟାଣ ଓ ଲୋକସେବାର କେନ୍ଦ୍ର ଭାବେ ବିକଶିତ କରୁଛୁ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗୀତାରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।
ଏହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଗୁଡିକରେ ସରପଞ୍ଚ, ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର, ଜୁନିଅର ଇଞ୍ଜିନିଅର, ଗ୍ରାମ ରୋଜଗାର ସେବକ ଓ ଏକାଉଣ୍ଟେଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ ରହିବ । ଅର୍ଥାତ୍, ପଞ୍ଚାୟତର ସମସ୍ତ ସେବା ଗୋଟିଏ ଜାଗାରେ ହିଁ ମିଳିବ । ଏହି କାର୍ଯ୍ୟାଳୟଗୁଡିକ ୱାନ ଷ୍ଟପ ସର୍ଭିସ ସେଣ୍ଟର ହେବବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରୟଣ ନାୟକ କହିଥିଲେଯେ, ଗ୍ରାମପଞ୍ଚାୟତ ଭବନ ହେଉଛି ଗ୍ରାମୀଣ ଶାସନର ମୂଳ କେନ୍ଦ୍ର । ଏଠାରୁ ଲୋକଙ୍କ ସମସ୍ୟାର ସମାଧାନ ହୁଏ, ତୃଣମୂଳସ୍ତରରେ ବିକାଶର ନକ୍ସା ତିଆରି ହୁଏ ଓ ଗାଁର ପ୍ରତ୍ୟେକ ଲୋକଙ୍କ ଜୀବନ ସୁଧାରିବାର ପ୍ରୟାସ ଆରମ୍ଭ ହୁଏ । ତେଣୁ, ପ୍ରତ୍ୟେକ ଗ୍ରାମପଞ୍ଚାୟତ ପାଇଁ ଲୋକଙ୍କ ଆଶା- ଆକାଂକ୍ଷାକୁ ପୂରଣ କରିପାରୁଥିବା ତଥା ସମସ୍ତ ସେବା ଯୋଗାଇ ପାରୁଥିବା ଭଳି ଆଧୁନିକ ଭବନ ଦରକାର । ଏହି ଭବନଗୁଡ଼ିକ ଲୋକସେବା, ଗାଁର ଉନ୍ନତି ଓ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏକ ନୂଆ ମାଇଲ ଷ୍ଟୋନ ହେବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଭିନିତ ଭରଦ୍ୱାଜ ଏବଂ ଆଭାସି ମାଧ୍ୟମରେ ୨୮ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ, ପଞ୍ଚାୟତିରାଜ ପ୍ରତିନିଧିଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗଦେଇଥିଲେ । ପଞ୍ଚାୟତିରାଜ ବିଭାଗର କମିଶନର ତଥା ଶାସନ ସଚିବ ଗିରିଶ ଏସ୍.ଏନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ସ୍ୱତନ୍ତ୍ର ପ୍ରକଳ୍ପ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।