ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ଯୋଜନାର ସମୀକ୍ଷା: ଧାର୍ଯ୍ୟ ସମୟରେ ପ୍ରକଳ୍ପ ଶେଷ କର: ମନ୍ତ୍ରୀ
ଭୁବନେଶ୍ୱର : ୟୁନିଟ୍-୬ସ୍ଥିତ କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସର ଏସ୍ଆଇଡିଆର୍ ସମ୍ମିଳନୀ କକ୍ଷରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିଦେ୍ର୍ଦଶିକା ନିୟତି ପଟ୍ଟନାୟକ, ଆର୍ଥିକ ପରାମର୍ଶଦାତା ଓ ସ୍ୱତନ୍ତ୍ର ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା ଓ ଭାସ୍କର ରଇତ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ମନ୍ତ୍ରୀ ବିଭାଗର ବିଭିନ୍ନ ଯୋଜନା/କାର୍ଯ୍ୟକ୍ରମ, ସାମାଜିକ ସୁରକ୍ଷା ପେନସନ ମଞ୍ଜୁରୀର ସ୍ଥିତି, ଚାଲୁରହିଥିବା କାର୍ଯ୍ୟ/ପ୍ରକଳ୍ପ, ଆଇନଗତ ପ୍ରସଙ୍ଗ ଇତ୍ୟାଦି ବିଷୟରେ ବିସ୍ତୃତ ସମୀକ୍ଷା କରିଥିଲେ । ଏହାସହ ସେଗୁଡିକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଯୋଗ୍ୟ ହିତାଧିକାରୀମାନେ ଯେପରି ସହଜରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମର ଲାଭ ପାଇପାରିବେ ସେଥିପାଇଁ ପ୍ରଶାସନିକ ପ୍ରତିବନ୍ଧକ ଏବଂ ନୀତିଗତ ସମସ୍ୟା ଦୂର କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ଅବସରରେ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ନିଶ୍ଚିତ କରିବାକୁ ଏବଂ ରାଜ୍ୟରେ ଚାଲୁଥିବା ଅନୁଷ୍ଠାନ/ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ବୃଦ୍ଧାଶ୍ରମଗୁଡ଼ିକୁ ନିୟମିତ ପରିଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ ।