୨୪ରେ ଆଉଟ ସୋର୍ସିଂ କର୍ମଚାରୀ ଆନେ୍ଦାଳନ

 ବଲାଙ୍ଗିର :  ସ୍ଥାୟୀ ନିଯୁକ୍ତି ଓ ସ୍ଥାୟୀ ହେବା ପର୍ଯ୍ୟନ୍ତ ଚାକିରି ନିରାପତ୍ତା, ଛଟେଇ ବନ୍ଦ ଓ ଛଟେଇ କର୍ମଚାରୀଙ୍କ ପୁନଃ ନିଯୁକ୍ତି, ନିୟମିତ ଦରମା ପ୍ରଦାନ ତଥା ଡେଲି ୱାଇଜ ଓ ଆଉଟ ସୋରସିଂ କର୍ମଚାରୀଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ ଦାବିରେ ଆଜି ବଲାଙ୍ଗିର ସରକାରୀ ଆଉଟସୋରସିଂ କର୍ମଚାରୀ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି  । 
ସ୍ଥାନୀୟ ଯାଦବ ଭବନରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ଆଉଟ ସୋରସିଂ କର୍ମଚାରୀ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଆସନ୍ତା ୧୭ ତାରିଖରୁ ୨୧ ଯାଏଁ କଳା ବେଚ ପିନ୍ଧି କାର୍ଯ୍ୟାଳୟଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ  । ସରକାରଙ୍କ ତରଫରୁ ସକାରାତ୍ମକ ପଦକ୍ଷେପ ନିଆ ନ ଗଲେ ଆଗାମୀ ୨୪ ରେ ଭୁବନେଶ୍ୱର ଲୋଅର ପିଏମ୍ଜୀ ଠାରେ ବିଶାଳ ଗଣ ବିକ୍ଷୋଭ କରାଯିବାକୁ ସ୍ଥିର କରାଯାଇଛି  । ରାଜ୍ୟ ସଂଘ ତରଫରୁ ଦିଆଯାଇଥିବା ଡାକରାରେ ଜିଲ୍ଲାରୁ ହଜାରରୁ ଉର୍ଦ୍ଧ୍ୱ ଆଉଟସୋରସିଂ କର୍ମଚାରୀ ଏହି ଗଣ ବିକ୍ଷୋଭରେ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି  । ରାଜ୍ୟର ହଜାର ହଜାର ଆଉଟ ସୋରସିଂ କର୍ମଚାରୀଙ୍କ ବହୁ ପ୍ରତିକ୍ଷୀତ ଦାବି ପୂରଣ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି । ଦାବି ପୂରଣ ନ ହେଲେ ୨୪ ତାରିଖର ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରୀ ରହିବ ବୋଲି ସଂଘ ତରଫରୁ ଜଣାଇ କୁହାଯାଇଛି  ।