ଶିଶୁ ମନ୍ଦିରରେ ପ୍ରତିଭା ସମ୍ମାନ
ବଲାଙ୍ଗୀର : କଦମପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ପ୍ରତିଭା ସମ୍ମାନ ସମାରୋହ ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁବ୍ରତ କୁମାର ବେହେରା ଅତିଥି ପରିଚୟ କରିଥିବାବେଳେ ଛାତ୍ରୀ ସୁପ୍ରିତୀ ସାହୁ ଓ ଅମିଷା ସାହୁ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନଭେମ୍ବର ମାସରେ ଅନୁଷ୍ଠିତ ବାର୍ଷିକ କ୍ରୀଡାର ୨୬୭ ଜଣ ବିଜେତା ତଥା ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା-୨୦୨୪ରେ ୯୨ ଜଣ ପ୍ରତିଭାଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସ୍କାଉଟ ଓ ଗାଇଡ୍ ବିଭାଗରେ ରାଜ୍ୟପାଳଙ୍କ ଦ୍ୱାରା ପ୍ରଦତ୍ତ ରାଜ୍ୟସ୍ତରୀୟ ପୁରସ୍କାର ଘୋଷଣା କରାଯାଇଥିଲା ।ସଂପାଦକ ତରଣୀସେନ ପଟେଲ ଆଶୀର୍ବଚନ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଅର୍ପଣ ତ୍ରିଲୋଚନ ଦାଶ ଗୁରୁଜୀ କରିଥିଲେ । ଏହାପରେ ଅପରାହ୍ନରେ ଅନୁଷ୍ଠିତ ‘ମାତୃସମ୍ମିଳନୀ’ରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ତହସିଲ୍ କର୍ମକର୍ତ୍ତା ବଂଶୀଧର ଦାନୀ ଯୋଗ ଦେଇଥିଲେ । ଅଭିଭାବିକାମାନଙ୍କ ଦ୍ୱାରା ସମବେତ ସଙ୍ଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଜ୍ଞାପନ କରି ପ୍ରଧାନଆଚାର୍ଯ୍ୟ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ମାତୃଶକ୍ତିର ଆବଶ୍ୟକତାକୁ ସୂଚେଇ ଥିଲେ । ଏହାପରେ ଅଭିଭାବିକାମାନେ ନିଜ ନିଜ ମତାମତ ପ୍ରଦାନ କରିଥିଲେ । ବ୍ୟକ୍ତିଗତ ଗୀତ ଅଭିଭାବକା ସାଗରିକା ପାଢ଼ୀ ଗାନ କରିଥିଲେ । ସଂଯୋଜନା ଅଭିଭାବିକା ସ୍ୱର୍ଣ୍ଣ ସ୍ମିତା ନନ୍ଦ ଓ ସଂଗୀତା ପ୍ରଧାନ କରିଥିଲେ । ଏହାପରେ ସଂପାଦକ ତରଣୀସେନ ପଟେଲ ଓ ସଭାପତି ଡଃ.ଭବାନୀ ଶଙ୍କର ପଟେଲ ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ । ମଞ୍ଚାସୀନ ଅନ୍ୟତମ ଅତିଥି ରୂପେ ସଦସ୍ୟ ରାହାସ ବିହାରୀ ମାଝୀ ଉପସ୍ଥିତ ଥିଲେ । ଅଭିଭାବିକାମାନେ ବିଦ୍ୟାଳୟ ଉପଯୋଗୀ ଅନେକ ବସ୍ତୁ ପ୍ରଦାନ କରିଥିଲେ । ଅମୃତ ବଚନ ଅମ୍ରିତା ପଣ୍ଡା ପାଠ କରିଥିବା ବେଳେ ଧନ୍ୟବାଦ ଅର୍ପଣ ଗୁରୁମା ଭାରତୀ ସାହୁ କରିଥିଲେ ।