୪୪୬ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ଗୋଲାମୁଣ୍ଡା : ଗୋଲାମୁଣ୍ଡା ବ୍ଲକ ସଭାଗୃହ ଠାରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ବ୍ଲକର ୨୮ ଗୋଟି ଗ୍ରାମ ପଞ୍ଚାୟତର ୪୪୬ ଜଣ ହିତାଧିକାରୀଙ୍କୁ ମଧୁବାବୁ ଓ ଇନ୍ଦିରା ଗାନ୍ଧୀ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ତ୍ରିପୁରା ମହାନନ୍ଦ, ଏବିଡ଼ିଓ ବିଜୟ ନାୟକ, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବିହାରୀ, ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ମାନଝରି ସରପଞ୍ଚ ଜଗୁଜିବନ ଅଘ୍ରିଆ, ନୂଆଗାଁ ସରପଞ୍ଚ ଦୁଷ୍ମନ୍ତ ଭୋଇ, କେଗାଁ ସମିତି ସଭ୍ୟ ଲକ୍ଷ୍ମଣ ସାହୁ, ସିନାପାଲି ସମିତି ସଭ୍ୟ ଲୋଚନ ସାହୁ, ଉଦେଶୁରୁଙ୍ଗ ସମିତି ସଭ୍ୟ ଚୈତନ୍ୟ ମାଝୀ ପ୍ରମୁଖ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ । ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ଗୋଲାମୁଣ୍ଡା ବ୍ଲକ ଭତ୍ତା ପ୍ରଦାନରେ ବହୁ ପଛରେ ଥିବାବେଳେ ବ୍ଲକ ଅଧ୍ୟକ୍ଷ ଭାବେ ଶ୍ରୀ ମହାନନ୍ଦ ଯୋଗଦାନ ପରେ ଗାଁ ଗାଁ ବୁଲି ଲୋକଙ୍କ ଅଭିଯୋଗ ଶୁଣି ବହୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ କ୍ରମଶଃ ଭତ୍ତା ପ୍ରଦାନ କରି ଆଜି ଗୋଲାମୁଣ୍ଡା ବ୍ଲକ ଭତ୍ତା ପ୍ରଦାନ କରିବାରେ ଜିଲ୍ଲାର ଶୀର୍ଷ ସ୍ଥାନରେ ପହଞ୍ଚିପାରିଛି । ଆଜି ବ୍ଲକକୁ ଆସି ପାରିନଥିବା ହିତାଧିକାରୀଙ୍କୁ ତାଙ୍କ ଘରକୁ ଯାଇ ଭତ୍ତା ପ୍ରଦାନ କରିବାକୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।