ସ୍କାଉଟ୍-ଗାଇଡ୍ ରାଜ୍ୟ କମିଟିରେ  ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ

 ବାରଙ୍ଗ : ଭାରତ ସ୍କାଉଟ୍ସ ଓ ଗାଇଡ୍ସର ଓଡ଼ିଶା ରାଜ୍ୟ ୟୁନିଟ୍ ପକ୍ଷରୁ ଗଠିତ ୟୁଥ୍ କମିଟିରେ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଦୁଇଜଣ ରୋଭର୍ ସ୍ଥାନ ପାଇଛନ୍ତି  । ଖାଲି ସ୍ଥାନ ପାଇନାହାନ୍ତି, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଉକ୍ତ କମିଟିର ଅଧ୍ୟକ୍ଷ ଆସନ ଅଳଙ୍କୃତ କରିଛନ୍ତି  । ଗୁରୁବାର ରାଜ୍ୟ ସ୍କାଉଟ୍ ମୁଖ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଓଡ଼ିଶା ଶାଖାର ୟୁଥ୍ କମିଟି ଚେୟାରମ୍ୟାନ୍ ଭାବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ର ତଥା ସିନିୟର ରୋଭର୍ ରାକେଶ କୁମାର ମଲ୍ଲିକଙ୍କୁ ମନୋନୀତ କରାଯାଇଛି  । ଏଥିସହ କମିଟିର ସଦସ୍ୟ ଭାବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ର ତଥା ରୋଭର୍ ଦୀପକ କୁମାର ପଣ୍ଡା ମନୋନୀତ ହୋଇଛନ୍ତି  । ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ରାଜ୍ୟ ମୁଖ୍ୟ କମିଶନର ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ. କାଳିପ୍ରସାଦ ମିଶ୍ର ଏହି ଦୁଇ ଛାତ୍ରଙ୍କ ନାମ ମନୋନୟନ କରିଥିଲେ  । ରାଜ୍ୟ କମିଟିରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ମଣ୍ଡନ ଯୋଗୁଁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ତେଜପ୍ରତାପ, କାର୍ଯ୍ୟନିର୍ବାହୀ କୁଳସଚିବ ପ୍ରଫେସର ଅନିଲ କୁମାର ଶର୍ମା, କାର୍ମିକ ନିଦେ୍ର୍ଦଶକ ସ୍ୱାମୀ ସତ୍ୟଚୈତନ୍ୟ, ଛାତ୍ରକଲ୍ୟାଣ ଡିନ୍ ପ୍ରଫେସର ଜୟପ୍ରକାଶ ଭଟ୍ଟ ପ୍ରମୁଖ ସେମାନଙ୍କୁ ପ୍ରଶଂସା କରିଛନ୍ତି  । ବିଶେଷକରି ଏହି ସଫଳତା ପଛରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ତଥା ରୋଭର୍ ସ୍କାଉଟ୍ ଲିଡର ଡ. ସନ୍ଦୀପ ରାଉତଙ୍କ ଅକ୍ଲାନ୍ତ ପରିଶ୍ରମକୁ ମଧ୍ୟ ବିଶ୍ୱବିଦ୍ୟାଳୟର ଲିଡରଶିପ୍ ଟିମ୍ ପ୍ରଶଂସା କରିଛନ୍ତି  ।