୫୦ଫୁଟ ଉପରୁ ରେଳଧାରଣାକୁ ଖସିଲା ଟ୍ରକ୍
କେନ୍ଦୁଝର: ୫୦ ଫୁଟ ଉପରୁ ରେଳଧାରଣାକୁ ଖସିପଡ଼ିଲା ହାଇୱା । ସୌଭାଗ୍ୟବସତଃ ରେଳଧାରଣା ଉପରେ ଥିବା ୨୫ହଜାର ଭୋଲ୍ଟ ତାରରୁ ଅଳ୍ପକେ ବର୍ତ୍ତିଯାଇଛି ଟ୍ରକ୍ । ଫଲରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିବା ବେଳେ ଗାଡ଼ିର ଚାଳକ ଗୁରୁତର ହୋଇଛନ୍ତି । ଚାଳକଙ୍କ ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ଏବଂ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁବେଡ଼ା ଛକ ନିକଟରେ ଆଜି ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୋଡ଼ଭାଙ୍ଗି ଯାଇଥିବା ଗାଡ଼ିଚାଳକ ଝାଡ଼ଖଣ୍ଡ କୋଡରମା ଅଞ୍ଚଳର ସଞ୍ଜୟ ୟାଦବଙ୍କୁ ଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଆଜି ପୂର୍ବାହ୍ଣରେ ଟ୍ରକ୍ଟି ଜୁରୁଡ଼ିରୁ ଯୋଡ଼ା ଅଭିମୁଖେ ଆସୁଥିଲା । ବିପର୍ଯ୍ୟସ୍ତ ରାସ୍ତା ସାଙ୍ଗକୁ ରାସ୍ତାର ଦୁଇପାଶ୍ୱର୍ରେ ଡିଭାଇଡର୍ ନଥିବା କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅପରପକ୍ଷେ ଟ୍ରକ୍ର ବେଗ ଅତିକମ୍ରେ ୫୦ ଥିବାରୁ ଚାଳକ ଗାଡ଼ି ଉପରୁ ନିଜର ନିୟନ୍ତ୍ରଣ ହରାଇବା ସହ ୫୦ ଫୁଟ ତଳକୁ ଖସାଇ ଦେଇଥିଲେ ବୋଲି ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି । ଦୁର୍ଘଟଣା ଖବର ପାଇଁ ଅଗ୍ନିଶମ ବିଭାଗ, ବାମେବାରୀ ପୁଲିସ୍ ଓ ଆର୍ପିଏଫ୍ ପହଞ୍ଚô ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଗାଡ଼ି ତଳକୁ ଖସି ଯିବାରୁ ଡ୍ରାଇଭର୍ ଜଣକ ଗାଡ଼ି ମଧ୍ୟରେ ଚାପି ହୋଇ ରହି ଯାଇଥିଲେ । ଫଳରେ ଗ୍ୟାସ୍ କଟର୍ ଯୋଗେ ଗାଡ଼ିର କ୍ୟାବିନ୍କୁ କାଟି ପ୍ରାୟ ଅଧଘଣ୍ଟା ପରେ ଚାଳକଙ୍କୁ ଉଦ୍ଧାର କରାଯାଇଥିଲା । ଟ୍ରକ୍ଟି ରେଲଧାରଣାରେ ପଡ଼ି ରହିବା ଯୋଗୁଁ ବାଂଶପାଣି-ଜରୋଳି ରୁଟ୍ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରବର୍ତ୍ତି ସମୟରେ ଉଦ୍ଧାର ଶେଷ ହେବା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା । ଦୁର୍ଘଟଣାରେ ପୁଲିସ ହାଇୱାକୁ ଜବତ କରି ତଦନ୍ତ ଚଳାଇଛି ।