ମେଗା ଜଳ ପ୍ରକଳ୍ପ ପାଣି ଯୋଗାଇବାରେ ଫେଲ ; ଠିକାଦାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ଦାବି

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଅମ୍ବାଡିସି ପାଣ୍ଠିରୁ ଚମ୍ପୁଆ,ଯୋଡ଼ା,ଝୁମ୍ପୁରା,ସଦର ଅଞ୍ଚଳର ପ୍ରତେକ ଗ୍ରାମକୁ ଓ ପ୍ରତେକ ଘରକୁ ପାଇପ ମାଧ୍ୟମରେ ପିଇବା ପାଣି ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା । ଚମ୍ପୁଆ ସବଡିଭିଜନ କାନପୁର ଡ୍ୟାମ ନିକଟ ମିରିଗିସିଙ୍ଗା ବୈତରଣୀ ନଦୀଠାରେ ମେଗା ଜଳ ପ୍ରକଳ୍ପ ୨୦୧୯ ମସିହାରେ ତାମିଲ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ୭ ବର୍ଷ ବିତିବାକୁ ବସିଛି ଧାର୍ଯ୍ୟ ପାଣ୍ଠି ଠାରୁ ଢେର ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ମେଗା ଜଳ ପ୍ରକଳ୍ପଟି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ  । 
ବିଭିନ୍ନ ସ୍ଥାନରେ ଅଭରହେଡ ଟାଙ୍କି ଓ ସବଷ୍ଟେସନ ନିର୍ମାଣ ସରିଛି ବିଭିନ୍ନ ଗ୍ରାମପଞ୍ଚାୟତରେ ଥିବା ଗ୍ରାମ ଗୁଡିକରେ  ପ୍ରତେକ ଘରକୁ ଘର ମଧ୍ୟ ପାଇପ ଓ ଟ୍ୟାପ ଖଞ୍ଜା ମଧ୍ୟ ସରି ଥିଲେ ମଧ୍ୟ ବିଭିନ୍ନ ଗ୍ରାମ ଗୁଡିକରେ ଆଜି ପର୍ଯ୍ୟନ୍ତ ପାଇପ କିମ୍ବା ଟ୍ୟାପ ଖଞ୍ଜା ଯାଇ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ୨୦୨୫ ମସିହା ଜାନୁୟାରୀ ମାସ ସୁଦ୍ଧା ବିଶୁଦ୍ଧ ପିଇବା ପାଣି ପ୍ରତେକ ଗ୍ରାମ ଓ ପ୍ରତେକ ଘରକୁ ପାଇପ ମାଧ୍ୟମରେ ବିଶୁଦ୍ଧ ପିଇବା ପାଣି ଯୋଗାଇବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପାଇପ ମାଧ୍ୟମରେ ପାଣି ମଧ୍ୟ ଛଡ଼ା ଗଲା କିନ୍ତୁ ତାମିଲ ଠିକାଦାର ପାଣି ପାଇପ, ଯନ୍ତ୍ରାଂଶ ଓ ସରଞ୍ଜାମ ଗୁଡିକ ଏତେ ନିମ୍ନ ମାନର  ଖଞ୍ଜି ଛନ୍ତି ଯାହା ଫଳରେ ପାଣି ଛାଡ଼ିବା କ୍ଷଣି ବିଭିନ୍ନ ସ୍ଥାନରେ ପାଇପ ଫାଟି ଯାଉଥିବାବେଳେ ପାଣି ଟିକକ ମିଳିବା ସାତ ସପନ ହୋଇପଡ଼ିଛି । ଏହାପରେ ମଧ୍ୟ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ଖଞ୍ଜା ଯାଇଥିବା ସରଞ୍ଜାମ ଗୁଡିକ ଭାଙ୍ଗି ରୁଜି ଗଲାଣି । ତେଣୁ ଏହି ମେଗା ଜଳ ପ୍ରକଳ୍ପଟି ଫେଲ ମାରିଥିବା ଅଭିଯୋଗ ହୋଇଛି  । ବହୁ ଗ୍ରାମକୁ ପାଇପ ମାଧ୍ୟମରେ ପାଣି ଯାଉଥିବାବେଳେ ସଠିକ ଭାବେ ଠିକାଦାର କାମ କରିନଥିବାରୁ କେତେବେଳେ କଉ ସାହିକୁ ପାଣି ଯାଉଛି ତ କେତେବେଳେ କଉ ସାହିରେ ପାଣି ବନ୍ଦ ରହୁଛି । ସଦରବ୍ଲକ ଗୋବର୍ଦ୍ଧନ, ସଙ୍କିରୀ, ହାଣ୍ଡିଭଙ୍ଗା, କାଉଁରିକଳା ରାଇକଳା ଆଦି ଗ୍ରାମପଞ୍ଚାୟତକୁ୨/୩ ଦିନରେ ଥରେ ପାଣି ଛଡ଼ା ଯାଉଥିବାବେଳେ ବହୁ ସମୟରେ ପାଣି ଛଡ଼ା ଯାଉ ନାହିଁ ଅଭିଯୋଗ ହୋଇଛି । ଚମ୍ପୁଆ, ଝୁମ୍ପୁରା,ଯୋଡ଼ା ଓ ସଦରବ୍ଲକରେ ଥିବା ବହୁ ଗ୍ରାମ ତଥା ଗ୍ରାମପଞ୍ଚାୟତ ଗୁଡ଼ିକୁ ଆଜି ପର୍ଯ୍ୟନ୍ତ ପାଇପ ସଂଯୋଗ ହୋଇନାହିଁ । ଠିକାଦାର ଦ୍ୱାରା ୫ ବର୍ଷ ଗ୍ୟାରେଣ୍ଟି ରହିଥିବାବେଳେ ଦୀର୍ଘ ୭ ବର୍ଷ ହେବାକୁ ବସିଲାଣି ଠିକାଦାର ଛୁ ମାରିବ ନାହିଁ ତ ବୋଲି ଗ୍ରାମବାସୀ ମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବାବେଳେ ଲୋକେ ଗରମ ଗୁଳି ଗୁଳିରେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । କୂପ ବନ୍ଧ ପୋଖରୀର ପାଣି ଶୁଖି ଗଲାଣି  । ପାଣି ଟିକକ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଗ୍ରାମରୁ ସହର ସବୁଆଡେ ଜଳ କଷ୍ଟ ଦେଖା ଯାଇଛି । ପାଣି ପାଇଁ ଚାରିଆଡେ଼ ହାହାକାର  । ଏଣୁ ଜିଲ୍ଲାପାଳ ଏହି ମେଗା ଜଳ ପ୍ରକଳ୍ପଟି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଅଧୁରା ରହିଥିବା କାର୍ଯ୍ୟକୁ ଯୁଧ୍ୟ କାଳୀନ ଭିତ୍ତିରେ ସାରିବା ଓ ପାଣିକୁ ସକାଳେ ଓ ସଂଧ୍ୟାରେ ଛାଡିବାର ବ୍ୟବସ୍ଥା କରିବା ଏବଂ ଅସାଧୁ ଠିକାଦାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ସଭାପତି ରଞ୍ଜନ କୁମାର ବେହେରା, ସାଧାରଣ ସମ୍ପାଦକ ଶୈଳବାଳା ପରିଡ଼ା, ପୁଷ୍ପାଞ୍ଜଳି ବେହେରା, ରଞ୍ଜିତା ବେହେରା, ତୁଳସୀ ପାତ୍ର, ସରୋଜ କୁମାର ସାହୁ, ବିପିନ ବିହାରୀ ମିଶ୍ର, ପ୍ରେମା ସିଂ ପ୍ରମୁଖ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।