୯ରେ ଏସ୍ଆଇଆର୍ ଆଲୋଚନା
ନୂଆଦିଲ୍ଲୀ : ଶୀତକାଳୀନ ଅଧିବେଶନର ଗତ କାଲି ଥିଲା ଦ୍ୱିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ଏସଆଇଆର ଉପରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡିକ ଦାବି କରି ଗୃହକୁ ଅଚଳ କରିଦେଇଥିଲେ । ସୋମବାର ମଧ୍ୟ ଏହି ଦାବି ନେଇ ଗୃହ ଚାଲି ପାରିନଥିଲା । ଫଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଉପରେ ବିତର୍କ ପାଇଁ ବିରୋଧୀଙ୍କ ଦାବିରେ କେନ୍ଦ୍ର ସରକାର ରାଜି ହୋଇଛନ୍ତି ।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ରାଜ୍ୟସଭାକୁ ସୂଚନା ଦେଇଥିଲେ ଯେ କେନ୍ଦ୍ର ସରକାର ଏସଆଇଆର ପ୍ରସଙ୍ଗ ଏବଂ ସଂସଦରେ ନିର୍ବାଚନ ସଂସ୍କାର ଉପରେ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ବିରୋଧୀ ଦଳଗୁଡ଼ିକୁ ସମୟସୀମା ସ୍ଥିର କରିବାକୁ ଜିଦ୍ ନ ରଖିବାକୁ କହିଥିଲେ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସର୍ବଦଳୀୟ ବୈଠକ ଓ ଏକ ବ୍ୟବସାୟ ପରାମର୍ଶଦାତା କମିଟି (ବିଏସି) ପରେ ଲୋକସଭାରେ ଆସନ୍ତା ୯ ତାରିଖରେ ନିର୍ବାଚନ ସଂସ୍କାର ଉପରେ ବିତର୍କ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ୮ ରେ ନିମ୍ନ ସଦନ ଦ୍ୱାରା ‘ବନ୍ଦେ ମାତରମ୍ ର ୧୫୦ ବର୍ଷ' ଉପରେ ଆଲୋଚନା କରାଯିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆରମ୍ଭ କରିବେ । ଉଭୟ ବିତର୍କ ପାଇଁ ପ୍ରତ୍ୟେକଙ୍କୁ ୧୦ ଘଣ୍ଟା ସମୟ ଦିଆଯାଇଛି, ଯଦି ଗୃହ ଉପଯୁକ୍ତ ମନେ କରେ ତେବେ ସମୟ ବୃଦ୍ଧି କରିବାର ବିକଳ୍ପ ମଧ୍ୟ ରହିଛି ।