ମନରେଗା ସ୍ୱତନ୍ତ୍ର ସହାୟତା ୩ ବର୍ଷ ପାଇଁ ବୃଦ୍ଧି : ବର୍ଷକୁ ମିଳିବ ୩ ଶହ ଦିନର କାମ
୯ ଜିଲ୍ଲାର ୫.୫୭ ଲକ୍ଷ ପରିବାର ଉପକୃତ ହେବେ
ଭୁବନେଶ୍ୱର : ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, ଶ୍ରମିକ ସ୍ଥାନାନ୍ତରଣକୁ ରୋକିବା ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ମନରେଗାରେ ରାଜ୍ୟର ଅତିରିକ୍ତ ସହାୟତା ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ୯ ଜିଲ୍ଲାର ୩୦ ବ୍ଲକ୍ର ୫.୫୭ ଲକ୍ଷ ପରିବାର ଏହାର ସୁଫଳ ପାଇପାରିବେ । ସୂଚନାଯୋଗ୍ୟ ଯେ, ଏହି ସ୍ୱତନ୍ତ୍ର ସହାୟତା ଲାଗୁ ହେବା ଦ୍ୱାରା ଗ୍ରାମୀଣ ପରିବାରଗୁଡ଼ିକ ଏବେ ବାର୍ଷିକ ୩ ଶହ ଦିନର ନିଶ୍ଚିତ ମଜୁରୀ ପାଇବେ । ଏହି ସ୍ୱତନ୍ତ୍ର ସହାୟତା ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରଥମ ୧୦୦ ଦିନ ପାଇଁ, ରାଜ୍ୟ ସରକାର ଅଧିସୂଚିତ ମନରେଗା ମଜୁରୀ ବ୍ୟତୀତ ୯୮ ଟଙ୍କାର ଅତିରିକ୍ତ ଦୈନିକ ମଜୁରୀ ପ୍ରଦାନ କରିବେ । ଅତିରିକ୍ତ ୨୦୦ ଦିନ କାର୍ଯ୍ୟଦିବସ ପାଇଁ ମନରେଗା ନିର୍ଦ୍ଧାରିତ ଦୈନିକ ମଜୁରୀ ସହ ଅତିରିକ୍ତ ମଜୁରୀ ପ୍ରଦାନ କରାଯିବ ।