ଭାରତରେ ତିଆରି ହେଉଛି ୯୯% ମୋବାଇଲ ହ୍ୟାଣ୍ଡସେଟ୍
mobile handset

ନୂଆଦିଲ୍ଲୀ : ମୋବାଇଲ ହ୍ୟାଣ୍ଡସେଟ୍ ନିର୍ମାଣରେ ଭାରତ ଏକ ଉଲ୍ଳେଖନୀୟ ଅଭିବୃଦ୍ଧି ହାସଲ କରିଛି । ଭାରତରେ ଯେତିକି ମୋବାଇଲ ବ୍ୟବହାର ହେଉଛି ତାହାର ୯୯% ଘରୋଇ ବଜାରରେ ନିର୍ମାଣ ହେଉଛି । ସଂସଦରେ ଏନେଇ ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମସେନ୍ ଟେକ୍ନୋଲୋଜି ମନ୍ତ୍ରୀ ଯିତିନ୍ ପ୍ରସାଦ ସୂଚନା ଦେଇଛନ୍ତି । ୨୦୧୪-୧୫ ଆର୍ଥିକ ବର୍ଷରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦ ମୂଲ୍ୟ ୧ ଲକ୍ଷ ୯୦ ହଜାର ୩୬୬ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ତାହା ୯ ଲକ୍ଷ ୫୨ ହଜାର କୋଟିକୁ ବୃଦ୍ଧି ପାଇଛି । ବାର୍ଷିକ ହିସାବରେ ଏଥିରେ ୧୭% ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଦିନେ ଭାରତ ବିଶ୍ୱରୁ ଆମଦାନୀ କରୁଥିବାବେଳେ ଏବେ ରପ୍ତାନୀକାରୀ ରାଷ୍ଟ୍ର ଭାବେ ଖ୍ୟାତି ଅର୍ଜନ କରିଛି । ୨୦୧୪-୧୫ ବେଳକୁ ଦେଶରେ ବ୍ୟବହାର ହେଉଥିବା ୭୪% ମୋବାଇଲ ଆମଦାନୀ କରାଯାଉଥିଲା । କିନ୍ତୁ ଏବେ ୯୯% ମୋବାଇଲ ଦେଶରେ ହିଁ ତିଆରି ହେଉଛି । ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପ୍ରାୟ ୨୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ନିଯୁକ୍ତି ମିଳିପାରିଛି । କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଆଗକୁ ନେବା ପାଇଁ ୭୬ ହଜାର କୋଟିର ଏକ ସେମିକନ ଇଣ୍ଡିଆ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି ।